ପ୍ରଥମ ଥର ପାଇଁ ସାଉଦି ଆରବରେ ଆୟୋଜିତ ହେଲା ଯୋଗ ଉତ୍ସବ
ଜେଦ୍ଦା() ଯୋଗ କରିବା ପାଇଁ ଶନିବାର ଦିନ ୧୦୦୦ରୁ ଅଧିକ ଜନତା ସାଉଦି ଆରବର କିଙ୍ଗ୍ ଅବଦୁଲ୍ଲା ଇକୋନୋମିକ୍ ସହରର ଜୁମାନ ପାର୍କକୁ ଆସିଥିଲେ। ଏହି ଉତ୍ସବ ସାଉଦି ଆରବର ପ୍ରଥମ ଯୋଗ ଉତ୍ସବ ଥିଲା ଓ ଏହାକୁ ସାଉଦି ଆରବର ଯୋଗ କମିଟି ଦ୍ଵାରା ଆୟୋଜନ କରାଯାଇଥିଲା ବୋଲି ସାଉଦି ଆରବର ଏକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।
ଏହି ଉତ୍ସବରେ ସାଉଦି ଆରବର ୧୦ରୁ ୬୦ ବର୍ଷୀୟ ଜନତା ଭାଗ ନେଇଥିଲେ। ଏଥିରେ ଲୋକମାନେ ବିଭିନ୍ନ ପ୍ରକାର ଯୋଗ ଓ ମାନସିକ ଶାନ୍ତିର ବିଭିନ୍ନ ପ୍ରକାର ଉପାୟ ବିଷୟରେ ଶିକ୍ଷାଲାଭ କରିଥିଲେ। ଜୁମାନ ପାର୍କରେ ସାଉଦିର ଜନତା ଘାସ ପଡିଆ ଉପରେ ଯୋଗ କରିଥିଲେ। ସାଉଦି ଆରବ ଓ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୋଗ ବିଶେଷଜ୍ଞଙ୍କ ଦ୍ଵାରା ୮ ଘଣ୍ଟା ଧରି ଯୋଗ ଶିଖା ଯାଇଥିଲା ଓ ଯୋଗ ବିଷୟରେ ଭାଷଣ ଦିଆଯାଇଥିଲା। କିଛି ଲୋକ ଛାଇରେ ବିଶ୍ରାମ କରୁଥିବାର ଦେଖାଯାଇଥିଲା। ଯୋଗ ପାଇଁ ସ୍ଥାନଟି ଉତ୍ସାହ ଓ ଉଦ୍ଦୀପନାରେ ଭରି ରହିଥିଲା।
ସାଉଦି ଯୋଗ କମିଟିର ଅଧ୍ୟକ୍ଷ ନୌଫ୍ ବିନ୍ତ୍ ମହମ୍ମଦ ଅଲ୍-ମରୌଇ କହିଛନ୍ତି,ଏତେ ସଂଖ୍ୟକ ଲୋକ ଆଗ୍ରହର ସହ ଯୋଗ କରିବା ଓ ସକରାତ୍ମକ ପ୍ରତିକ୍ରିୟା ଦେବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନିଜ ଭାଷଣରେ ନୌଫ୍ ବିନ୍ତ୍ କହିଥିଲେ ସରକାରଙ୍କ ବଡ ସହଯୋଗ ଯୋଗୁଁ ସାଉଦି ଆରବ ସବୁ କ୍ଷେତ୍ର ସହିତ ଲୋକଙ୍କ ଜୀବନ ଧାରଣରେ ମଧ୍ୟ ଉନ୍ନତି କରି ପାରିଛି। ସେ କହିଛନ୍ତି, ଏହି ଉତ୍ସବ ସଫଳ ହୋଇଛି, ସାଉଦି ଆରବର ଲୋକମାନେ ଯୋଗକୁ ସ୍ଵାଗତ କରିଛନ୍ତି ତେଣୁ ମୁଁ ଖୁସି ଓ ଏହା ସହିତ ଯୋଗ ବିଷୟରେ ଆମ ଚିନ୍ତାଧାରାକୁ ଗ୍ରହଣ କରିଥିବାରୁ ଆମେ ଅଧିକ ଖୁସି।
ଯୋଗର ସକରାତ୍ମକ ଦିଗ ବିଷୟରେ ଚର୍ଚ୍ଚା କରି ନୌଫ୍ ବିନ୍ତ୍ କହିଥିଲେ, ଆମେ ପରିବାର ମଧ୍ୟରେ ଓ ଦେଶରେ ଯୋଗକୁ ଲୋକପ୍ରିୟ କରବାକୁ ଚାହୁଁଛୁ। ଆମେ ଚାହୁଁଛୁ ସାଉଦି ଆରବର ଲୋକମାନେ ପ୍ରତ୍ୟେକ ଦିନର ଆରମ୍ଭ ଯୋଗ ସହିତ କରନ୍ତୁ। ଯୋଗ କରିବାକୁ ୨୦ ମିନିଟରୁ ଅଧିକ ସମୟ ଲାଗେ ନାହିଁ, ଯୋଗ ସମସ୍ତେ କରିପାରିବେ। ଯୋଗ ଉତ୍ସବରେ ଯୋଗ ଦେଇଥିବା ଲୋକମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଏଠାକୁ ଆସିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ପରବର୍ତ୍ତୀ ବର୍ଷର ଯୋଗ ଆୟୋଜନ ପାଇଁ ଉତ୍ସାହିତ ଅଛି ବୋଲି ସେ ଭାଷଣରେ କହିଛନ୍ତି।