ଓଡ଼ିଶା

ଆହୁରୀ କମିବ ଶୀତ: ୩ରୁ ଘନ କୁହୁଡ଼ି, ୪ରୁ କୁଆପଥର ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର() ରାଜ୍ୟରେ ଗତ କିଛିଦିନ ହେବ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଥିବାବେଳେ ମଙ୍ଗଳବାରଠାରୁ ଏହା କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରାରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଅପରପକ୍ଷରେ ପଶ୍ଚିମା ଝଡ଼ ପ୍ରଭାବରେ ୪ ତାରିଖରୁ ରାଜ୍ୟର କେତେକ ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏଥିନେଇ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡଃ. ଏଚ.ଆର. ବିଶ୍ୱାସ କହିଛନ୍ତି ୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୩ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି । କୁଆପଥର ବର୍ଷା ନେଇ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଡଃ. ବିଶ୍ୱାସ ଆହୁରି କହିଛନ୍ତି ଯେ ୪ ତାରିଖରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି । ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ କିଛି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ସେହିପରି ୩ ତାରିଖ ସକାଳେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲା ଗୁଡ଼ିକରେ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com