ଜାତୀୟ

ପେରୁର ଶ୍ମଶାନରୁ ବାହାରିଲା ଖୁଣ୍ଟିରେ ବନ୍ଧା ହୋଇଥିବା ୨୦୦ ମଣିଷଙ୍କ ମେରୁଦଣ୍ଡ

ନୂଆଦିଲ୍ଲୀ() ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ ଏକ ଆନ୍ତର୍ଜାତିକ ଗବେଷକ ଦଳ ଖୁଣ୍ଟିରେ ବନ୍ଧା ହୋଇଥିବା ପ୍ରାୟ ୨୦୦ ମାନବ ମେରୁଦଣ୍ଡ ପାଇଛନ୍ତି। ଏହା ହେଉଛି ସେ ସମୟରେ ଶବ ସତ୍କାର କରାଯିବାର ଏକ ଅଭିନବ ଉପାୟ। ସେ ଅଞ୍ଚଳରେ ଏ ପ୍ରକାର ଶବ ସତ୍କାର ହୋଇଥିବା ପୂର୍ବରୁ ଜଣାପଡ଼ି ନ ଥିଲା ବୋଲି ମଙ୍ଗଳବାର ଦିନ ପ୍ରତ୍ନତାତ୍ତ୍ବିକ ପତ୍ରିକା ‘ଆଣ୍ଟିକ୍ୟୁଟି’ରେ ପ୍ରକାଶ ପାଇଛି।

ପେରୁର ଦକ୍ଷିଣାଞ୍ଚଳ ଉପକୂଳସ୍ଥିତ ଚିନ୍‌ଚା ଉପତ୍ୟକାରେ ‘ଚୁଲ୍ଲପାସ୍‌’ ଭାବେ ଜଣାଶୁଣା ସ୍ବଦେଶୀ ସମାଧିରୁ ଗବେଷକ ଦଳ ସବୁଠୁ ଅଧିକ ସଂଖ୍ୟକ ‘ଖୁଣ୍ଟିରେ ବନ୍ଧା ମେରୁଦଣ୍ଡ’ର ସନ୍ଧାନ ପାଇଥିଲେ। ଏହି ‘ଚୁଲ୍ଲାପା’ ୟୁରୋପୀୟ ଉପନିବେଶବାସୀମାନେ ପେରୁରେ ପ୍ରବେଶ କରିବାର ଶହ ଶହ ବର୍ଷ ପୂର୍ବର।

ଗବେଷକମାନଙ୍କ କହିବା ଅନୁସାରେ, ‘ଖୁଣ୍ଟିରେ ବନ୍ଧା ମେରୁଦଣ୍ଡ’ ପ୍ରଥା ୧୪୫୦ରୁ ୧୬୫୦ ମଧ୍ୟରେ ଚାଲିଥାଇ ପାରେ। ସେତେବେଳେ ‘ଇନ୍‌କା’ ଶାସନର ଅବସାନ ଘଟି ୟୁରୋପୀୟ ଉପନିବେଶବାଦ ସେ ଅଞ୍ଚଳରେ ବ୍ୟାପିଯାଇଥିଲା। ଉକ୍ତ ମେରୁହାଡ଼ ସବୁକୁ ବିଶ୍ଳେଷଣ କରିବା ପରେ ଜଣାପଡୁଛି ଯେ, ସମାଧି ଲୁଟ୍‌ କରାଯିବା ପରେ ନଷ୍ଟ ହୋଇଥିବା ଶବ ମରାମତି କରିବା ଲାଗି ଏଭଳି କରାଯାଇଥାଇ ପାରେ। ଉପନିବେଶୀୟ ସମୟରେ ଚିନ୍‌ଚା ଉପତ୍ୟକାରେ ସମାଧି ଚୋରି ଥିଲା ଅତି ବ୍ୟାପକ। ସୁନା ଓ ରୁପାରେ ନିର୍ମିତ ସାମାଧି ସାମଗ୍ରୀଗୁଡ଼ିକୁ ନେବା ପାଇଁ ସେତେବେଳେ ସାମଧି ଲୁଟ୍‌ ହେଉଥିଲା।

ଏହି ଗବେଷଣାର ମୁଖ୍ୟ ଲେଖକ ଜାକୋବ୍‌ ଏଲ୍‌ ବୋଙ୍ଗର୍‌ କହନ୍ତି, ମହାମାରୀ ଏବଂ ଅନାହାରରେ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ଘଟୁଥିବା ସେ ସମୟ ଚିନ୍‌ଚା ଉପତ୍ୟକା ଇତିହାସରେ ଥିଲା ଅନିଶ୍ଚିତାର ସମୟ।

Related Articles

Back to top button
WP Twitter Auto Publish Powered By : XYZScripts.com