ଜାତୀୟ

‘କଂଗ୍ରେସକୁ ଗୋଟିଏ ଭୋଟ, ପରୋକ୍ଷରେ ବିଜେପିକୁ ଦେବା ସହ ସମାନ’

ନୂଆଦିଲ୍ଲୀ() ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଗୋଟିଏ ଭୋଟ ଦେବାର ଅର୍ଥ ପରୋକ୍ଷରେ ବିଜେପିକୁ ଗୋଟିଏ ଭୋଟ ଦେବା ସହ ସମାନ ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ଓ ନେତାମାନେ ଗୋଆରେ କ୍ଷମତାସୀନ ବିଜେପିରେ ଯୋଗ ଦେବାର ଟ୍ରେଣ୍ଡକୁ ଦେଖି କେଜ୍ରିୱାଲ ଏପରି କହିଛନ୍ତି। ଗୋଆରେ ବିଜେପି ଓ ଆପ୍‌ ମଧ୍ୟରେ ଲଢ଼େଇ ହେବ। ବିଜେପିକୁ ବିଦା କରିବାକୁ ହେଲେ ଲୋକମାନେ ଆପ୍‌କୁ ଭୋଟ ଦେବା ଉଚିତ ବୋଲି ସେ କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି, “ଗୋଆରେ ରହୁଥିବା ଲୋକମାନଙ୍କ ପାଖରେ ଆପ୍‌ ଓ ବିଜେପିକୁ ବାଛିବାର ବିକଳ୍ପ ରହିଛି। ଯଦି ଗୋଆବାସୀ ଗୋଟିଏ ସ୍ୱଚ୍ଛ ଓ ନିଷ୍ଠାପର ସରକାର ଚାହୁଁଛନ୍ତି, ତା’ହେଲେ ସେମାନେ ଆପ୍‌କୁ ଭୋଟ ଦେଇପାରିବେ। ସେମାନଙ୍କ ପାଖରେ ଥିବା ଆଉ ଗୋଟିଏ ବିକଳ୍ପ ହେଲା, ସେମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବିଜେପିକୁ ଭୋଟ ଦେଇପାରିବେ। ଲୋକମାନେ କଂଗ୍ରେସକୁ ଗୋଟିଏ ଭୋଟ ଦେବା ଅର୍ଥ ପରୋକ୍ଷରେ ବିଜେପିକୁ ଭୋଟ ଦେବା ସହ ସମାନ। କାରଣ ଲୋକଙ୍କ ଭୋଟରେ କଂଗ୍ରେସ ନେତାମାନେ ଜିତିବେ ଓ ବିଜେପିରେ ଯାଇ ମଶିବେ।”

୨୦୧୭ ଗୋଆ ବିଧାନସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦେଖି କେଜ୍ରିୱାଲ ଏପରି କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ୧୭ଟି ଆସନ ଜିତି ଏକକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ବିଜେପି ସରକାର ଗଠନ କରିଥିଲା।

ନିର୍ବାଚନ ପରେ କଂଗ୍ରେସ ପାଖରେ ୧୭ ବିଧାୟକ ଥିଲେ। ହେଲେ ଏବେ ଏହି ସଂଖ୍ୟା ୨ରେ ସୀମିତ ରହିଛି। କଂଗ୍ରେସର ବାକି ୧୫ ବିଧାୟକ ବିଜେପି ସରକାର ଗଠନ କରିବା ପରେ ପଦ୍ମ ଧରିଛନ୍ତି।

ଅନ୍ୟପକ୍ଷରେ ଗୋଆର ୪୦ ବିଧାନସଭାରେ ଆପ୍‌ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେତାମାନେ ବୁଧବାର ଗୋଟିଏ ସତ୍ୟପାଠରେ ଦସ୍ତଖତ କରିଛନ୍ତି। ସେମାନେ ନିର୍ବାଚନ ପରେ ଦଳ ବଦଳ କରିବେ ନାହିଁ ଓ ରାଜ୍ୟରେ ଗୋଟିଏ ସ୍ୱଚ୍ଛ ଏବଂ ଦୁର୍ନୀତି ମୁକ୍ତ ସରକାର ଗଠନ କରିବେ ବୋଲି ଏହି ସତ୍ୟପାଠରେ ଲେଖାଯାଇଛି।

ଏ ସମ୍ପର୍କରେ କେଜ୍ରିୱାଲ କହିଛନ୍ତି ଯେ “ଆମର ସମସ୍ତ ପ୍ରାର୍ଥୀ ସ୍ୱଚ୍ଛ। କିନ୍ତୁ ଭୋଟରମାନଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ଦେବା ପାଇଁ ଏପରି ଏକ ସତ୍ୟପାଠର ବ୍ୟବସ୍ଥା କରାଯାଇଛି।”

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଗୋଆର ସମସ୍ତ ୪୦ ଆସନରେ ଭୋଟିଂ ହେବ। ମାର୍ଚ୍ଚ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com