ଓଡ଼ିଶା

ଛାତ୍ର ଅପହରଣ ମାମଲା: ଧରାପଡ଼ିଲେ ୪, ଖସିଗଲେ ୨

ଭୁବନେଶ୍ବର() ରାଜଧାନୀରୁ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ତଥା ବିବିଏ ଛାତ୍ର ଇଶାନ ଅଗ୍ରୱାଲ୍‌ଙ୍କୁ ଅପହରଣ କରିଥିବା ଗ୍ୟାଙ୍ଗ୍‌କୁ ଧରିବା ସହ ଅପହୃତ ଛାତ୍ରଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛି କମିସନରେଟ୍‌ ପୁଲିସ। ୩୬ ଘଣ୍ଟାର ଅପରେସନ୍‌ ପରେ ପୁଲିସକୁ ଏହି ସଫଳତା ମିଳିଛି। ଭୁବନେଶ୍ବରରୁ ଦଶପଲ୍ଲା ଦେଇ ବ୍ରହ୍ମପୁର ପର୍ଯ୍ୟନ୍ତ ପୁଲିସକୁ ବୁଲାଇ ବୁଲାଇ ଶେଷରେ ଦୁର୍ବୃତ୍ତମାନେ ନୟାଗଡ଼ ନିକଟ ବୋଲଗଡ଼ ଚୂଡ଼ା ଅଞ୍ଚଳରେ ପୁଲିସ ହାତରେ ଧରାପଡ଼ିଛନ୍ତି। ଦୁର୍ବୃତ୍ତମାନେ ଯେମିତି ଫିଲ୍ମ୍‌ ଷ୍ଟାଇଲ୍‌ରେ ଅପହରଣ କରିଥିଲେ, ପୁଲିସ ମଧ୍ୟ ସମାନ ଢ଼ଙ୍ଗରେ ଦୁର୍ବୃତ୍ତମାନଙ୍କୁ ଚକ୍‌ମା ଦେଇ କାବୁ କରିଛି। ତେବେ ଗ୍ୟାଙ୍ଗ୍‌ର ୨ ସହଯୋଗୀ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଗିରଫ ହୋଇଥିବା ଦୁର୍ବୃତ୍ତମାନେ ହେଲେ ବ୍ରହ୍ମପୁର ବିଜିପୁର ଅଞ୍ଚଳର ରାମ କ୍ରିଷ୍ଣା (୨୭), ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ସନ୍ତୋଷ କୁମାର ରାଉତ (୨୨), ନୟାଗଡ଼ ଗୌଡ଼ପୁଟ ଅଞ୍ଚଳର ଧନେଶ୍ବର ପାତ୍ର ଓ ଖଣ୍ଡଗିରି ଡୁମୁଡୁମା ରଘୁନାଥନଗର ଅଞ୍ଚଳର ମହମ୍ମଦ ମୁସ୍ତାକ୍‌ ଅଲ୍ଲୀ। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର୍, ୨ଟି ଛୁରି, ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଯେଉଁ ୨ ଅଭିଯୁକ୍ତ ଖସି ପଳାଇଛନ୍ତି, ସେମାନଙ୍କ ନିକଟରେ ଅପହରଣରେ ବ୍ୟବହୃତ ବନ୍ଧୁକ ଥିବା ଜଣାପଡ଼ିଛି। ତେବେ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଆସନ୍ତାକାଲି ଏହି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ଓ ପରେ ରିମାଣ୍ଡରେ ଆଣି ଅଧିକ ଛାନ୍‌ଭିନ୍ କରାଯିବ। ଏମିତିକି ଏମାନଙ୍କର ଟିଆଇ ପରେଡ୍‌ ହେବ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com