ଓଡ଼ିଶା

ପୋଷ୍ଟାଲ୍ ଚାକିରି ନାଁରେ କୋଟିଏ ଟଙ୍କା ଠକେଇ ମାମଲା: ଧୂର୍ତ୍ତ ଓ ସହଯୋଗୀ ଗିରଫ

ଭୁବନେଶ୍ବର() ପିଏମ୍‌ଜି ଓ ରାଜ୍ୟର ଅନ୍ୟାନ୍ୟ ପୋଷ୍ଟ ଅଫିସ୍‌ରେ ନିଯୁକ୍ତି ଦେବାକୁ କହି ପ୍ରାୟ ୧୨ ଜଣ ଯୁବକଙ୍କଠାରୁ କୋଟିଏ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଗିରଫ କରିଛି କମିସନରେଟ୍‌ ପୁଲିସ। ଅଭିଯୁକ୍ତ ହେଲା ଯାଜପୁର ସଦର ଥାନା ଏରବାଙ୍କ ଅଞ୍ଚଳର ଦେବୀପ୍ରସାଦ ବିଶ୍ବାଳ ଓରଫ୍‌ ବିକି(୨୪)। ଏହି ଠକେଇରେ ବିକିକୁ ନକଲି ଷ୍ଟାମ୍ପ, ନିଯୁକ୍ତିପତ୍ର ଓ ସର୍ଭିସ୍ ବୁକ୍‌ ପ୍ରସ୍ତୁତ କରାଇବାରେ ସହଯୋଗ କରୁଥିବା ଶୁଭେନ୍ଦୁ ଜେନା(୪୦)କୁ ମଧ୍ୟ ଗିରଫ କରାଯାଇଛି। ଶୁଭନ୍ଦେୁର ଘର ଯାଜପୁର ଟାଉନ୍‌ ସାହିପୁର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ବିପୁଳ ରବର ଷ୍ଟାମ୍ପ, ନକଲି ନିଯୁକ୍ତିପତ୍ର, ସର୍ଭିସ୍ ବୁକ୍‌, ପରିଚୟ ପତ୍ର, ଜାଲ୍‌ ଟ୍ରେନିଂ କାଗଜପତ୍ର, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ଓ କମ୍ପ୍ୟୁଟର ପ୍ରିଣ୍ଟର ଆଦି ଜବତ କରିଛି।

ପୁଲିସ ସୂଚନାନୁସାରେ, ବିକି ନିଜର ପରିଚୟ ବଦଳାଇ ବଡ଼ଗଡ଼ ବ୍ରିଟ୍ କଲୋନିରେ ରହୁଥିଲା। ନିଜକୁ ପିଏମ୍‌ଜିର ଜଣେ ଅଧିକାରୀ ବୋଲି କହୁଥିଲା। ସେଠାରେ ରହୁଥିବା ତଥା ମାମଲାର ଅଭିଯୋଗକାରୀ ସୌମ୍ୟରଞ୍ଜନ ଦାସ ଓ ତାଙ୍କ ବାପାଙ୍କ ସହ ତା’ର ଚିହ୍ନା ପରିଚୟ ହୋଇଥିଲା। ସୌମ୍ୟରଞ୍ଜନଙ୍କ ବାପାଙ୍କ ଜଣେ ସମ୍ପର୍କୀୟଙ୍କ ଘର ପାଖରେ ବିକିର ଘର। ତେଣୁ ସମ୍ପର୍କ ବଢ଼ିଥିଲା। ସୌମ୍ୟରଞ୍ଜନ ଓ ତାଙ୍କ ଭାଇ ସ୍ନାତକ ପାସ୍ କରି ଘରେ ବେକାର ବସିଥିବା ଜାଣିବାକୁ ପାଇବା ପରେ ବିକି ତାଙ୍କୁ ଚୂନ ଲଗାଇବାକୁ ଜାଲ ବିଛାଇଥିଲା। ଉଭୟଙ୍କୁ ଚାକିରି କରାଇଦେବ ବୋଲି କହି ଫସାଇଥିଲା ଓ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲା। ଏମିତିକି ପିଏମ୍‌ଜିର ଏକ ଜାଲ୍‌ ନିଯୁକ୍ତିପତ୍ର ଦେଇଥିଲା। ମାତ୍ର ଦୁଇ ଭାଇ ପିଏମ୍‌ଜି ଯାଇ ନକଲି ନିଯୁକ୍ତିପତ୍ର ବାବଦରେ ଜାଣିବାକୁ ପାଇବା ପରେ ଠକେଇର ଶିକାର ହୋଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏମାନଙ୍କୁ ଗିରଫ କରିବା ପରେ ପ୍ରାୟ ୧୨ ଜଣ ଏମିତି ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। ପୁଲିସ ତଦନ୍ତରୁ ବିକିର ଅନ୍ୟ ଏକ ସାଂଘାତିକ ଠକେଇ ସାମ୍ନାକୁ ଆସିଛି। ଯାଜପୁର ସଦର ଅଞ୍ଚଳର ଆଦିତ୍ୟ ନାରାୟଣ ଶତପଥୀଙ୍କୁ ଚାକିରି ଦେବା ନାଁରେ ତାଙ୍କଠୁ ୨୦ ଲକ୍ଷ ଟଙ୍କା ଓ ୫୦ ଗ୍ରାମ୍‌ ସୁନା ଅଳଙ୍କାର ନେଇଥିବା ଜଣାପଡ଼ିଛି। ସୁନାତକ ଏକ ଫାଇନାନ୍ସ ସଂସ୍ଥାରେ ବନ୍ଧକ ରଖି ଋଣ ଆଣିଛି। ତେବେ ଋଣ ପରିଶୋଧ କରି ନପାରିବାରୁ ଜଣେ ମହିଳା ରି-ଫାଇନାନ୍ସ କରାଇଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ ଯାଜପୁର ସଦର ଥାନାରେ ମାମଲା ହୋଇଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com