ଭାଇ, ପୁତୁରାଙ୍କ ଚକ୍ରବ୍ୟୂହରେ ଫସିଗଲେ ଅଭିମନ୍ୟୁ
କେନ୍ଦୁଝର() ଡାଲି ଆଣିବାକୁ ଯାଇଥିଲେ ଅଭିମନ୍ୟୁ। ହେଲେ ଅଧା ରାସ୍ତାରେ ଭାଇ, ଭାଉଜ ଓ ପୁତୁରାଙ୍କ ଚକ୍ରବ୍ୟୂହରେ ଫସି ଯାଇଥିଲେ ଅଭିମନ୍ୟୁ। ଆଉ ସେଥିରୁ ବାହାରି ପାରିଲେ ନାହିଁ। ପଥରରେ ଛେଚି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ବାରିଆ ଥାନା କଙ୍କଡା ଗାଁରେ ଘଟିଛି।
କଙ୍କଡା ଗାଁର ଅଭିମନ୍ୟୁ ଆପଟ ଓ ଭଗବାନ ଆପଟ ସମ୍ପର୍କରେ ଦୁଇ ଭାଇ। ସେମାନଙ୍କ ଭିତରେ ନଥିଲା ଭଲ ସମ୍ପର୍କ। ଦୁଇ ପରିବାର ମଧ୍ୟରେ ଲାଗି ରହୁଥିଲା ଗଣ୍ଡଗୋଳ। ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା। ଆଜି ଅଭିମନ୍ୟୁ ଆପଟ ଡାଲି ପାଇଁ ପାଖ ଦୋକାନକୁ ଯାଉଥିଲେ। ଅଧା ରାସ୍ତାରେ ଅଭିମନ୍ୟୁଙ୍କୁ ଘେରି ଯାଇଥିଲେ ଭାଇ ଭଗବାନ ଆପଟ, ଭଉଜ ଓ ଦୁଇ ପୁତୁରା। ସମସ୍ତେ ମିଳିମିଶି ଅଭିମନ୍ୟୁଙ୍କୁ ଆକ୍ରମଣ କରିଥିଲେ।
ଅଭିମନ୍ୟୁ ତଳେ ପଡ଼ି ଯାଇଥିଲେ। ଠିକ୍ ଏହି ସମୟରେ ପୁତୁରା ବିଦ୍ୟାଧର ହାତକୁ ଭଉଜ ବଢ଼ାଇ ଦେଇଥିଲେ ଏକ ପଥର। ଆଉ ସେହି ପଥରକୁ ଅଭିମନ୍ୟୁଙ୍କ ମୁଣ୍ଡରେ ବିଦ୍ୟାଧର ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ସମସ୍ତେ ସେହି ସ୍ଥାନରୁ ଚମ୍ପଟ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଚ୍ ରାସ୍ତାରେ ପଡ଼ିଥିଲେ ଅଭିମନ୍ୟୁ। ପରିବାର ଲୋକେ ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସେପଟେ ଖବର ପାଇ ବାରିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ ଭଗବାନକୁ ଅଟକ ରଖି ପଚରାଉଚରା କରୁଛି। ତେବେ ଅନ୍ୟ ଅଭିଯୁକ୍ତମାନେ ଚମ୍ପଟ ମାରିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।