ଜାତୀୟରାଜନୀତି

ଅନୁସୂଚିତ ଜନଜାତିଙ୍କ ପାଇଁ ମାଗଣା ଯୋଜନା ଘୋଷଣା କଲେ କେଜ୍ରିୱାଲ

ପାଣାଜୀ() ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା ଆମ ଆଦମୀ ପାର୍ଟି ଏବେ ମାଗଣା ଯୋଜନା ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ପୂର୍ବରୁ ପଞ୍ଜାବ ଓ ଉତ୍ତରାଖଣ୍ଡରେ ଆପ୍‌ର ଆବାହକ ଅରବିନ୍ଦ କେଜ୍ରିୱାଲ ମାଗଣା ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଏବେ ଗୋଆରେ ଅନୁସୂଚିତ ଜନଜାତି ସମାଜର ଲୋକଙ୍କ ପାଇଁ ୮ ପଏଣ୍ଟ ବିଶିଷ୍ଟ ପ୍ରତିଶ୍ରୁତି ପତ୍ର ଜାରି କରିଛନ୍ତି।

ପୂର୍ବ ସରକାରମାନେ ଅନୁସୂଚିତ ଜନଜାତିଙ୍କ ପାଇଁ କିଛି କରି ନଥିବାରୁ ଆପ୍‌ କ୍ଷମତାକୁ ଆସିଲେ ସବୁ ସୁବିଧା ଯୋଗାଇ ଦେବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ ତାଙ୍କ ଘୋଷଣାରେ ଅନୁସୂଚିତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା, ମାଗଣା ସ୍ୱାସ୍ଥ୍ୟ ସେବା ଓ ନିଯୁକ୍ତି ପାଇ ନଥିବା ଯୁବବର୍ଗଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି କହିଛନ୍ତି।

କେଜ୍ରିୱାଲ କହିଛନ୍ତି, ଆପ କ୍ଷମତାକୁ ଆସିଲେ

୧-ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବଜେଟରେ ହେଉଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ଅନୁସୂଚିତ ଜନଜାତି ସମାଜର ବିକାଶ ପାଇଁ ୨୪ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୨-ସରକାରୀ କ୍ଷେତ୍ର ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷଣ ହୋଇଥିବା ୩ ହଜାର ପଦବୀକୁ ଜରୁରିକାଳୀନ ଉପାୟରେ ପୂରଣ କରାଯିବ।

୩-ଜଙ୍ଗଲ ଜମି ଅଧିକାର ଆଇନ ଏସ୍‌ଟି ବର୍ଗ ପାଇଁ ଲାଗୁ କରାଯିବ।

୪-ଏହି ବର୍ଗର ଲୋକଙ୍କ ପାଇଁ ବିଧାନସଭାରେ ୧୨.୫% ଆସନ ସଂରକ୍ଷଣ ଆଇନ ଲାଗୁ ହେବ।

୫-ଏସ୍‌ଟି ବର୍ଗର ପିଲାମାନଙ୍କୁ କ୍ଲାସ ୧ରୁ ଗ୍ରାଜ୍ୟୁଏସନ ଯାଏ ମାଗଣା ଶିକ୍ଷାଦାନ ପ୍ରଦାନ କରାଯିବ।

୬-ସବୁ ପ୍ରକାରର ରୋଗର ଚିକିତ୍ସା ପାଇଁ ସରକାର ଅର୍ଥ ବହନ କରିବେ।

୭-ଏସ୍‌ଟି ବର୍ଗର ମହିଳାଙ୍କୁ ମାସିକ ୧ ହଜାର ଟଙ୍କର ମିଳିବ।

୮-ନିଯୁକ୍ତି ପାଇ ନଥିବା ଯୁବବର୍ଗଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ଦିଆଯିବ।

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଗୋଆର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ମାର୍ଚ୍ଚ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com