ଲତା ଦିଦିଙ୍କ ଦେହାନ୍ତ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ଉତ୍ସବ ପାଳନ ନ କରିବାକୁ କହିଲା କଂଗ୍ରେସ
![](https://i0.wp.com/odia.mobilenews24x7.com/wp-content/uploads/2022/02/t-32-750x430-1.jpg?resize=750%2C430&ssl=1)
ଚଣ୍ଡିଗଡ଼() ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ଆଉ ନାହାନ୍ତି। ଆଜି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତେବେ ଲତା ଦିଦିଙ୍କ ବିୟୋଗରେ କଂଗ୍ରେସ ଏକ ବଡ଼ ଘୋଷଣା କରିଛି। ଆଜି ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ତେବେ ଘୋଷଣା ପରେ କଂଗ୍ରେସକର୍ମୀଙ୍କୁ କୌଣସି ପ୍ରକାରର ଉତ୍ସବ ପାଳନ ନକରିବାକୁ କହିଛି କଂଗ୍ରେସ।
ସୂଚନା ମୁତାବକ, ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ଆଗାମୀ ମତଦାନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। ଏହି ସମୟରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଭର୍ଚୁଆଲ୍ ରାଲିରେ ‘ଏ ମେରେ ୱତନ୍ କେ ଲୋଗୋଁ’ ଗୀତ ବାଜିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଲତା ମଙ୍ଗେସ୍କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍ କାଣ୍ଡି ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାର କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍ରେ ରଖାଯାଇଥିଲା। ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରରେ ଲତା ମଙ୍ଗେସକରଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।