ଜାତୀୟ

ସେ ଯେଉଁ ଶୂନ୍ୟତା ଛାଡ଼ିଗଲେ ତାହା ପୂରଣ କରି ହେବ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦୁଃଖ ପ୍ରକାଶ ପାଇଁ ମୋ ପାଖରେ ଭାଷା ନାହିଁ। ଦୟାଳୁ ଓ ସ୍ନେହୀ ଲତା ଦିଦି ଆମକୁ ଛାଡ଼ି ଚାଲିଗଲେ।ତାଙ୍କ ବିୟୋଗରେ ଯେଉଁ ଶୂନ୍ୟତା ସୃଷ୍ଟିହେଲା ତାହା ପୂରଣ କରି ହେବ ନାହିଁ ବୋଲି ଆଜି ଭାରତୀୟ ସଂଗୀତର କିମ୍ବଦନ୍ତି ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକାଭିଭୂତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଲତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି କହିଛନ୍ତି:‘‘ଲତା ଦିଦିଙ୍କ ଗୀତ ଭିନ୍ନଭିନ୍ନ ଆବେଗର ପରିପ୍ରକାଶ କରେ। ଭାରତୀୟ ଚଳଚ୍ଚିତ୍ର ଜଗତ୍‌ର କ୍ରମବିବର୍ତ୍ତନକୁ ସେ ଦଶନ୍ଧି ଦଶନ୍ଧି ଧରି ଅତି ନିକଟରୁ ଦେଖି ଆସିଥିଲେ। ସିନେମା ବ୍ୟତିରେକେ, ଭାରତର ଅଭିବୃଦ୍ଧି ନିମନ୍ତେ ତାଙ୍କର ଖୁବ୍‌ ଆବେଗ ଥିଲା। ଶକ୍ତିଶାଳୀ ଓ ବିକଶିତ ଭାରତ ଦେଖିବାକୁ ସେ ସଦାସର୍ବଦା ଇଚ୍ଛୁକ ଥିଲେ।’’

 

ଆଗାମୀ ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତି ପ୍ରତି ଜଣେ ପ୍ରତିବଦ୍ଧା ଭାବେ ସ୍ମରଣ କରିବେ, ଯାହାଙ୍କ ସୁଲଳିତ ସ୍ବର ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରାଇବାରେ ଅତୁଳନୀୟ ସାମର୍ଥ୍ୟ ଥିଲା ବୋଲି ସେ କହିଛନ୍ତି।

Image Courtesy of President’s Tweet

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍କର୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲତାଜୀଙ୍କ ବିୟୋଗ ବିଶ୍ବର କୋଟି କୋଟି ଜନତାଙ୍କ ପରି ମୋ ପାଇଁ ବି ହୃଦୟ-ବିଦାରକ। ତାଙ୍କର ଗୀତ ଭାରତର ସୌନ୍ଦର୍ଯ୍ୟ ଏବଂ ନିର୍ଯାସ ପରିବେଶଣ କରେ, ପିଢ଼ି ପରେ ପିଢ଼ି ସେଥିରୁ ନିଜ ଅନ୍ତରତମ ଆବେଗର ପରିପ୍ରକାଶ ପାଆନ୍ତି। ଭାରତ ଅନ୍ୟତମ ରତ୍ନ ଲତାଜୀଙ୍କର କୃତୀତ୍ବ ଅତୁଳନୀୟ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଲତାଙ୍କ ବିୟୋଗରେ ଶୋକବ୍ୟକ୍ତ କରି କହିଛନ୍ତି, ସଙ୍ଗୀତ ଜଗତ୍‌ ପାଇଁ ତାଙ୍କର ଅବଦାନକୁ ଭାଷାରେ ପ୍ରକାଶ କରିବା ସମ୍ଭବପର ନୁହେଁ। ତାଙ୍କର ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ କ୍ଷତି।

କେନ୍ଦ୍ରମନ୍ତ୍ରୀ ନୀତୀନ୍‌ ଗଡ଼କରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତେ ବହୁ ରାଜନେତା ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଲତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com