ଜାତୀୟ

‘ହେମା’ ଓରଫ୍‌ ଲତା ମ‌ଙ୍ଗେସ୍‌କର୍‌ଙ୍କ କଣ୍ଠ ଥିଲା ଆମ ଜୀବନର ‘ସାଉଣ୍ଡ୍‌ଟ୍ରାକ୍‌’

ନୂଆଦିଲ୍ଲୀ() ‘ଲଗ୍‌ ଜା ଗଲେ କି ଫିର୍‌ ୟେ ହସୀନ୍‌ ରାତ୍‌ ହୋ ନ ହୋ; ଶାୟଦ୍‌ ଫିର୍‌ ଇସ୍‌ ଜନମ୍‌ ମେଁ ମୁଲାକାତ୍‌ ହୋ ନ ହୋ’। ୧୯୬୪ରେ ଲତା ମଙ୍ଗେସ୍‌କର୍‌ ଗାଇଥିବା ଏହି ଚିରଶ୍ୟାମଳ ଗୀତଟି ଶୁଣି ସମଗ୍ର ଦେଶ ତାଙ୍କ ଯାଦୁକାରୀ କଣ୍ଠସ୍ବର ମାୟାରେ ପଡ଼ିଯାଇ ଶ୍ରଦ୍ଧା ଅଜାଡ଼ି ପକାଇଥିଲା। ଅଞ୍ଚଳ ଓ ଭାଷାର ସୀମାସରହଦ ଟପି ୧୯୪୦ରୁ ପ୍ରଥମେ ଗାୟନ ଆରମ୍ଭ କରିଥିବା ଲତା ମଙ୍ଗେସ୍‌କର୍‌ ପ୍ରତି ଭାରତୀୟଙ୍କ ଜୀବନର ଅବିସ୍ମରଣୀୟ ଅଂଶ ବା ଜୀବନର ‘ସାଉଣ୍ଡ୍‌ଟ୍ରାକ୍‌’ ପାଲଟି ଯାଇଥିଲେ।

୧୦୦୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଏବଂ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ବାଈ ମଙ୍ଗେସ୍‌କର୍‌ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମରାଠୀ ଏବଂ କୋଙ୍କଣୀ ସଙ୍ଗୀତ ବିଶାରଦ ପଣ୍ଡିତ ଦୀନନାଥ ମଙ୍ଗେସ୍କର୍‌ ଏବଂ ତାଙ୍କ ପତ୍ନୀ ଶେବନ୍ତୀଙ୍କ କୋଳମଣ୍ଡନ କରି ଜନ୍ମ ହୋଇଥିଲେ। ୫ ପିଲାଙ୍କ ମଧ୍ୟରେ ଜ୍ୟେଷ୍ଠା ଲତାଙ୍କର ମୂଳ ବା ପ୍ରକୃତ ନାମ ଥିଲା ‘ହେମା’।

ତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଅର୍ଥାତ୍‌ ୧୯୪୨ ମସିହ‌ରେ ସେ ମରାଠୀ ଚଳଚ୍ଚିତ୍ର ‘କିଟି ହସାଲ୍‌’ରେ ତାଙ୍କର ଅନ୍ୟତମ ପ୍ରଥମ ଗୀତ ଗାଇଥିଲେ। ଏହାପରେ ସେ ଅଳ୍ପ କେତୋଟି ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଥିଲେ। କିନ୍ତୁ, ସୁରକାର ଗୁଲାମ୍‌ ହାଇଦର୍‌ଙ୍କ ‘ଦିଲ୍‌ ମେରା ତୋଡ଼ା’, ‘ମୁଝେ କହିଁ କା ନା ଛୋଡ଼ା’ ଗୀତ ଗାଇବା ପରେ ୧୯୪୮ ବେଳକୁ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତ୍‌ରେ ସଫଳତା ହାସଲ କରିଥିଲେ। ଚଳଚ୍ଚିତ୍ର ‘ମଜବୁର୍‌’ର ଗୀତ ପାଇଁ ମଧ୍ୟ ହାଇଦର୍‌ ଲତାଙ୍କୁ ତାଲିମ୍‌ ଦେଇଥିଲେ।
Image Courtesy of Fox Story India

୧୯୫୦ ଦଶକ ବେଳକୁ ଲତା ସଙ୍ଗୀତରସିକମାନଙ୍କ ହୃଦୟରେ ରାଜୁତି କରିବା ଆରମ୍ଭ କରି ଦେଇଥିଲେ। ସେ ଦଶନ୍ଧି ତମାମ ଲତା ଶଙ୍କର ଜୟକିଷନ୍‌, ନୌଶାଦ ଅଲି, ଏସ୍‌. ଡି. ବର୍ମନ୍‌, ସଲିଲ୍ ଚୌଧୁରୀ, ରବି, କଲ୍ୟାଣଜୀ-ଆନନ୍ଦଜୀ ଏବଂ ମଦନ ମୋହନ ଆଦି ସଙ୍ଗୀତ ନିର୍ଦେଶକମାନଙ୍କ ନିର୍ଦେଶନା ଗୀତ ଗାଇ ଚହଳ ପକାଇ ଦେଇଥିଲେ।

ଏହା ପରେ ୧୯୬୦ରେ ଲତା ‘ମୁଗଲ୍‌-ଏ-ଆଜମ୍‌’ରେ ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ ଗୀତଟି ଗାଇ ଅପୂର୍ବ ସଫଳତା ହାସଲ କରିଥିଲେ। ମଧୁବାଲାଙ୍କ ଉପରେ ଚିତ୍ରାୟିତ ହୋଇଥିବା ଏହି ଗୀତଟି ସମଗ୍ର ଦେଶରେ ସେତେବେଳ ‘ରୋମାଣ୍ଟିକ୍‌ ସ୍ତବ’ ଭାବେ ପରିଗଣିତ ହୋଇଯାଇଥିଲା ଏବଂ ଏବେ ମଧ୍ୟ ତା’ର ସେହି ଭାବ ଅକ୍ଷୁଣ୍ଣ ରହିଛି। ଏହା ବ୍ୟତିରେକେ, ଲତା ତାଙ୍କ ଜମାନାର କିଶୋର କୁମାର, ମାନ୍ନା ଦେ ଏବଂ ମହମ୍ମଦ୍‌ ରିଫିଙ୍କ ଭଳି ମହାନ୍‌ ଗାୟକଙ୍କ ସହିତ ଅନେକ ଡୁଏଟ୍‌ ଗାଇ ରେକର୍ଡ ସୃଷ୍ଟି କରିଥିଲେ।

୧୯୭୦, ୮୦, ୯୦ ଦଶକରେ ମଧ୍ୟ ଲତା ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌, ଆର୍‌.ଡି. ବର୍ମନ୍‌, ଶିବ-ହରି, ଏଆର୍‌-ରହମନ୍‌, ନଦୀମ-ଶ୍ରବଣ, ଅନୁ ମଲିକ୍‌ ଏବଂ ଅଦେଶ ଶ୍ରୀବାସ୍ତବଙ୍କ ସଙ୍ଗୀତ ନିର୍ଦେଶନାରେ ଅନେକ ଅବିସ୍ମରଣୀୟ ଲୋକପ୍ରିୟ ଗୀତ ଗାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com