ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ ଦାବିରେ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେପି
![](https://i0.wp.com/odia.mobilenews24x7.com/wp-content/uploads/2022/02/eco-ffff-750x430-1.jpg?resize=750%2C430&ssl=1)
ଭୁବନେଶ୍ବର() ରାଜ୍ୟରେ ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଗତ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିବା ସହ ୱାର୍ଡସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ‘ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ-୨୦୦୩’କୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି। ତେଣୁ ସାଧାରଣ ଭୋଟରଙ୍କ ମୌଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରବରିଆ ଭାବେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନୂତନ ଭାବେ ବିଜ୍ଞପ୍ତି ଜାରି କରିବାକୁ ବିଜେପି ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଛି।
ବିଜେପିର ଅଭିଯୋଗ ଯେ, ଏହି ବିଜ୍ଞପ୍ତି ଅନୁଯାୟୀ ତିନି ମହାନଗର ନିଗମରେ ପ୍ରାଥମିକ ଭୋଟର ତାଲିକା ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ। କୌଣସି ଅଭିଯୋଗ ୧୧ ରୁ ୧୬ ତାରିଖ (୬ ଦିନ) ଭିତରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିହେବ। ଏହି ୬ ଦିନ ମଧ୍ୟରେ ସରକାରୀ ଛୁଟି ଦିବସ ଅଛି। ଅଭିଯୋଗ ଶୁଣାଣି ପାଇଁ ଅତି କମରେ ୧୦ ଦିନ ଦିଆଯିବାର ନିୟମ ଥିଲେ ସୁଦ୍ଧା ନିର୍ବାଚନ କମିସନ ୬ ଦିନ ସମୟ ଦେଇଛନ୍ତି। ସେହିପରି ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ୩ ଦିନର ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ (୧୮/୦୨/୨୦୨୨) ସମୟ ରଖାଯାଇଛି । ରାଜ୍ୟର ଅନ୍ୟ ପୈାରାଞ୍ଚଳ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ୫ ଦିନର ସମୟ ଅବଧି ଏବଂ ଦାବି ଓ ଆପତ୍ତିର ଶୁଣାଣି ପାଇଁ ୭ ଦିନର ସମୟ ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି। ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ଅନୁଧ୍ୟାନ କରି ସଂଶୋଧନ ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିବା ଆଦୌ ସମ୍ଭବ ନୁହେଁ। ଧାର୍ଯ୍ୟ ଆଇନକୁ ଖିଲାପ କରି ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କ’ଣ ? ନିର୍ବାଚନ କମିସନ ଏଭଳି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ପଛରେ ରହସ୍ୟ କଣ ? ଏହାଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ କି ବୋଲି ନିର୍ବାଚନ କମିସନଙ୍କୁ ଦଳର ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ କୁମାର ଦାସ ଏବଂ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ।