ଜାତୀୟ

‘Z’ ସୁରକ୍ଷାକୁ ଓଓ୍ବେସୀ ନା’ କହିବା ପରେ ଅମିତ ଶାହାଙ୍କ ଅପିଲ୍: କହିଲେ, ‘ଅନୁରୋଧ କରୁଛି ତୁରନ୍ତ ସୁରକ୍ଷା ନିଅନ୍ତୁ’

ନୂଆଦିଲ୍ଲୀ() ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ଗାଡି ଉପରକୁ ଗୁଳିମାଡ ଘଟଣାରେ ରାଜ୍ୟସଭାରେ ବୟାନ  ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ କହିଛନ୍ତି, ‘ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣା ନିହାତି ଭାବେ ନିନ୍ଦନୀୟ । କିନ୍ତୁ ହାପୁଡ୍‌ରେ  ନା କୌଣସି ରାଜନୈତିକ କାର୍ଯ୍ୟକ୍ରମ ଥିଲା ଏବଂ ନା ହିଁ ସେ ସେହି ରୁଟ୍‌ରେ ଆସୁଛନ୍ତି ବୋଲି ପ୍ରଶାସକୁ ସୂଚନା ଦିଆଯାଇଥିଲା ।’

ଅସଦୁଦ୍ଦିନ ଓଓ୍ବେସୀଙ୍କୁ ଅପିଲ୍‌ କରି ଶାହା କହିଛନ୍ତି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁରକ୍ଷାକୁ ଓଓ୍ବେସୀ ଗ୍ରହଣ କରନ୍ତୁ । ଓଓ୍ବେସୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଗୃହରେ ଶାହା କହିଛନ୍ତି, ଫେବୃଆରୀ ୩ ତାରିଖ ସନ୍ଧ୍ୟା ୫.୩୦ ସମୟରେ AIMIM ସାଂସଦ ଜନସମ୍ପର୍କ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଏତିକି ବେଳେ ୨ ଜଣ ଅଜଣା ବ୍ୟକ୍ତି ତାଙ୍କ ଗାଡି ଉପରକୁ ଆଖି ବୁଜା ଗୁଳିମାଡ କରିଥିଲେ । ଘଟଣାରେ ୩ ଜଣ ବ୍ୟକ୍ତି ସାକ୍ଷୀ ମଧ୍ୟ ରହିଛନ୍ତି । ଗୁଳିକାଣ୍ଡକୁ ନେଇ ପିଲଖୁଓ୍ବା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଘଟଣାକୁ ପୋଲିସ ଗୁରୁତର ସହ ନେଇ ତୁରନ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ନିକଟରୁ ୨ଟି ପିସ୍ତଲ ଏବଂ ଗୋଟିଏ ଅଲଟୋ କାର୍‌ ମଧ୍ୟ ଜବତ ହୋଇଥିଲା । ଫରେନସିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ମଧ୍ୟ ଜାରି ରଖିଛି । ଗିରଫ ୨ ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ ପଚରାଉଚରା ଜାରି ରହିଛି ।

ସେଦିନର ଗୁଳିକାଣ୍ଡ ପରେ ଓଓ୍ବେସୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଥିଲା । ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଓ୍ବେସୀଙ୍କୁ ‘Z’ କାଟାଗୋରୀ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ ଓଓ୍ବେସୀ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ନାହିଁ ବୋଲି ସଫା ସଫା ଗୃହରେ ହିଁ ମନା କରିଦେଇଥିଲେ ।

ଗୃହ​‌ରେ ଶାହା ଆହୁରି ମଧ୍ୟ କହିଛନ୍ତି, ‘ପୂର୍ବରୁ ଏଭଳି ଅନେକ କିଛି ଘଟଣାକ୍ରମ ଘଟିଛି । ସେତେବେଳେ ମଧ୍ୟ ଓଓ୍ବେସୀଙ୍କୁ ସୁରକ୍ଷା ବ୍ୟବସ୍ଥା ଦିଆଯିବା ନେଇ ସରକାର ତତ୍ପରତା ପ୍ରକାଶ କରି ଘୋଷଣା କରିଥିଲେ କିନ୍ତୁ ସେ କୌଣସି ସୁରକ୍ଷା ବ୍ୟବସ୍ଥା ନନେବାକୁ ମନା କରିଦେଇଥିଲେ ।’

ଓଓ୍ବେସୀଙ୍କ କାର୍‌ ଉପରକୁ ଆକ୍ରମଣ କରିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଛନ୍ତି । ଜଣଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଗାଜିଆବାଦର ଏକ ଥାନାରେ ଆତ୍ମସମର୍ପଣ କରିଥିଲା । ଶୁଭମ ଏବଂ ସଚିନ ଦୁଇ ଯୁବକ ଆକ୍ରମଣରେ ସାମିଲ ଥିବା ପୋଲିସ ସ୍ପଷ୍ଟ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com