ବେଙ୍ଗାଲୁରୁ ନୁହେଁ ଏହି ମଇଦାନରେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ ବିରାଟ କୋହଲି

ନୂଆଦିଲ୍ଲୀ() ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବେଙ୍ଗାଲୁରୁରେ ନିଜ ପସନ୍ଦର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ନିଜ କ୍ୟାରିୟରର ଐତିହାସିକ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ। ଉକ୍ତ ଷ୍ଟାଡିୟମ କୋହଲିଙ୍କ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ହୋମ ଗ୍ରାଉଣ୍ଡ। ଆଶା କରାଯାଉଥିଲା, ଏହି ମଇଦାନରେ ସେ ନିଜ କ୍ୟାରିୟରର ବଡ ଉପଲବ୍ଧି ହାସଲ କରିବେ। କିନ୍ତୁ ଏବେ ଏପରି ହେବ ନାହିଁ, କାରଣ କୋହଲି ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ(ପିସିଏ) ଷ୍ଟାଡିୟମରେ ନିଜର ୧୦୦ତମ ଟେଷ୍ଟ ଖେଳିବେ।
କ୍ରିକବଜର ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ର କ୍ରୀଡାସୂଚୀରେ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ବିରାଟଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍ର ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ ହୋଇଛି। ଭାରତ ଗସ୍ତରେ ଆସି ଶ୍ରୀଲଙ୍କା ଦୁଇଟି ଟେଷ୍ଟ ଏବଂ ତିନି ମ୍ୟାଚ୍ର ଟି-୨୦ ସିରିଜ୍ ଖେଳିବ। ଏବେ ନୂତନ କ୍ରୀଡାସୂଚୀ ଅନୁଯାୟୀ, ଲକ୍ଷ୍ନୌରେ ପ୍ରଥମ ଟି-୨୦ ମ୍ୟାଚ୍ ସହିତ ଶ୍ରୀଲଙ୍କାର ଭାରତ ଗସ୍ତ ଆରମ୍ଭ ହେବ। ଟି-୨୦ ସିରିଜ୍ର ପ୍ରଥମ ମୁକାବିଲା ଫେବୃଆରୀ ୨୪ରେ ଖେଳାଯିବ। ଏହା ପରେ ଦ୍ଵିତୀୟ ଫେବୃଆରୀ ୨୬ ଏବଂ ତୃତୀୟ ଟି-୨୦ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ(ଏଚପିସିଏ) ଷ୍ଟାଡିୟମରେ ଖେଳାଯିବ।
ଏହା ପରେ ଦୁଇ ଦଳ ମୋହାଲି ଯାତ୍ରା କରିବେ। ସେଠାରେ ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୩ ରୁ ୭ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍ ହେବ । ଏହା ପରେ ଦ୍ଵିତୀୟ ଟେଷ୍ଟ ମାର୍ଚ୍ଚ ୧୨ ରୁ ୧୬ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଖେଳାଯିବ।




