ଓଡ଼ିଶା

ବ୍ରହ୍ମପୁର ଜେଲ୍‌ର ୪୧ କଏଦୀ ଦେବେ ମାଟ୍ରିକ୍ ପରୀକ୍ଷା

ବ୍ରହ୍ମପୁର : ଶିକ୍ଷା ଦ୍ୱାରା ହିଁ ସବୁକିଛିର ଅଗ୍ରଗତି ସମ୍ଭବ। ଜଣେ କୌଣସି ଅପରାଧ କରି ଯଦି ଜେଲ ଯାଏ ତେବେ ତାହାର ଶିକ୍ଷା ସେଠାରେ ସମାପ୍ତ ହୁଏ ନାହିଁ । ଜେଲ ଭିତରେ ବି ଶିକ୍ଷାଦାନର ବ୍ୟବସ୍ଥା ରହିଛି ଓ ଏଥ୍‌ରେ ମଧ୍ୟ ବନ୍ଦୀମାନେ ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇଛନ୍ତି | ୩ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ମଧ୍ୟ ୪୭ ଜଣ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ନିଜ ନାମ ପଞ୍ଜିକୃତ କରିଛନ୍ତି। ନାମ ପଞ୍ଜୀକରଣ ପରେ ସେମାନଙ୍କୁ ଜେଲ ପକ୍ଷରୁ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଉଛି। ସମସ୍ତ ବିଦ୍ୟାର୍ଥୀ କିପରି ପରୀକ୍ଷାରେ ଭଲ କରିବେ ସେଥପ୍ରତି ଜେଲ କର୍ତ୍ତୃପକ୍ଷ ଦୃଷ୍ଟି ରଖୁଛନ୍ତି । ଜେଲରେ ବନ୍ଦୀ ଭାବେ ଥିବା ଦୁଇଜଣ ଗ୍ରାଜୁଏଟ୍ ଏମାନଙ୍କୁ ପାଠ ପଢ଼ାଉଛନ୍ତି। ଜେଲ ମଧ୍ୟରେ ଥିବା ସ୍କୁଲରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଦୀର୍ଘ ୩ ବର୍ଷ ଧରି ଏଠାରେ ବିଦ୍ୟାର୍ଥୀ ନଥିଲେ।
ନୂତନ ଭାବେ ଜେଲର ସତ୍ୟନାରାୟଣ ବେହେରା ଏଠାକୁ ଆସିବା ପରେ ବନ୍ଦୀମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇ ସେମାନଙ୍କୁ କିପରି ପାଠ ପଢ଼ାଯାଇ ପୁଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେ ନେଇ ଚିନ୍ତା କରିଥିଲେ। ଯାହା ଫଳରେ ଚଳିତ ବର୍ଷ ୫୨ ଜଣ ବନ୍ଦୀ ଦଶମ ଏବଂ ଦ୍ବାଦଶ ପାଇଁ ଫର୍ମ ପୂରଣ କରିଥିଲେ। ତେବେ ଇତି ମଧ୍ୟରେ ୫ ଜଣ ବନ୍ଦୀ ଜାମିନ ପାଇ ଜେଲରୁ ମୁକୁଳି ଯାଇଥିବା ଯୋଗୁଁ ଏଠାରେ ଥିବା ୪୭ ଜଣ ବନ୍ଦୀ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଦେବେ ବୋଲି ଜେଲର କହିଛନ୍ତି। ସେମାନଙ୍କ ମଧ୍ୟରୁ ୪୧ ଜଣ ଦଶମ ପରୀକ୍ଷା ଦେବେ ଏବଂ ଅନ୍ୟ ୬ ଜଣ ଦ୍ବାଦଶ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ। ଯଦି ଅନ୍‌ଲାଇନ୍‌ରେ କୌଣସି ସମସ୍ୟା ଦେଖାଦିଏ ତେବେ କେନ୍ଦ୍ରୀୟ ବିଦ୍ୟାଳୟରୁ ପ୍ରଶ୍ନପତ୍ର ମଧ୍ୟ ଆସିବାର ବ୍ୟବସ୍ଥା ରହିଛି।
ପରୀକ୍ଷା ସରିବା ପରେ ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତରଖାତା ପୋଷ୍ଟ ମାଧ୍ୟମରେ ଏନଆଇଓ ଏସକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ଜେଲରେ ଗତ ୩ ବର୍ଷ ହେଲା ବନ୍ଦୀମାନେ କୌଣସି ପରୀକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ବେଳେ ୩ ବର୍ଷ ପରେ ୪୭ ଜଣ ପରୀକ୍ଷା ଦେବା ନିଶ୍ଚିତ ଭାବେ ଏକ ଭଲ ସଙ୍କେତ। ନିରକ୍ଷରଙ୍କୁ ସ୍ବାକ୍ଷର କରିବା ସହ ଉଚ୍ଚଶିକ୍ଷା ଦାନରେ ବ୍ରହ୍ମପୁର ଜେଲର ଖ୍ୟାତି ରହିଛି। ଏହି ଜେଲରେ ଅନ୍ତେବାସୀ ଥିବା ହତ୍ୟାକାରୀମାନେ ମଧ୍ୟ ଏଠାରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।
ପ୍ରେମିକଙ୍କୁ ହତ୍ୟାକରି ଜେଲରେ ଦୀର୍ଘ ୧୫ ବର୍ଷ କାଳ ରହିଥିବା ସଚ୍ଚିଦାନନ୍ଦ ଗୌଡ ନାମକ ଜଣେ ଯୁବକ ଜେଲ୍‌ରୁ ହିଁ ଗ୍ରାଜୁଏସନ୍ ପାସ୍ କରିଥିଲେ। ଗତ କିଛି ମାସ ହେଲା ତାଙ୍କୁ ଭଲ ବ୍ୟବହାର ସହ ଶିକ୍ଷାଗତ ଯୋଗ୍ୟତା ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ସୁପାରିଶ ପରେ ସରକାର ସବୁଦିନ ପାଇଁ ଖଲାସ କରିଥିଲେ। ବ୍ରହ୍ମପୁର ଜେଲରେ ବନ୍ଦୀଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ନଥିବା ଯୋଗୁଁ ବନ୍ଦୀମାନଙ୍କ ଶିକ୍ଷାଦାନ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଜେଲରଙ୍କୁ ଶିକ୍ଷକ ଦାୟିତ୍ବ ଦିଆଯିବା ପରେ ଦୁଇ ଜଣ ଗ୍ରାଜୁଏଟ୍ କଏଦୀ ଏବେ ପାଠ ପଢ଼ାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଜେଲରେ ନିୟମିତ ଶିକ୍ଷକ ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com