ଓଡ଼ିଶା

କୋଇଲା ବେଳକୁ ହଁ, ଉଷୁନା ବେଳକୁ ନାଁ

ଭୁବନେଶ୍ୱର : କୋଇଲା କ୍ଷେତ୍ରରେ ଓଡ଼ିଶାର ସଂସ୍କାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରୁଛନ୍ତି। ରାଜ୍ୟରେ ଏମ୍‍ସିଏଲ୍‍ରୁ ଉତ୍ପାଦିତ କୋଇଲାରୁ ୫୪% ଅନ୍ୟ ରାଜ୍ୟକୁ ରପ୍ତାନୀ ହୋଇଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଂସଦରେ ସ୍ୱୀକାର କରିଛନ୍ତି। ମାତ୍ର ରାଜ୍ୟରେ ଉତ୍ପାଦିତ ‘ଉଷୁନା’ ନେବା ବେଳକୁ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଅନ୍ୟ ରାଜ୍ୟରେ ବ୍ୟବହାର ପାଇଁ ଓଡ଼ିଶାରୁ ନିଆଯାଉଥିବା କୋଇଲାର ପରିବେଶ ଜନିତ ପ୍ରତିକୂଳ ସ୍ଥିତି ରାଜ୍ୟବାସୀ ଓ ପ୍ରଭାବିତ ଅଞ୍ଚଳବାସୀ ଭୋଗୁଛନ୍ତି। ଏ ବାବଦରେ ଟନ୍‍ ପିଛା ୪୦୦ ଟଙ୍କା ସେସ୍‍ କେନ୍ଦ୍ର ସରକାର ନେଉଛନ୍ତି। ଏଥିରୁ ଓଡ଼ିଶା ଫୁଟା ପାହୁଲାଟିଏ ପାଉନାହିଁ। ମାତ୍ର ଅନୁରୂପ ଭାବରେ ଉଷୁନା ଉଠାଇବା ବେଳକୁ କେନ୍ଦ୍ର କାହିଁକି କୁନ୍ଥ କୁନ୍ଥ ହେଉଛି ତାହାର ଉତ୍ତର କାହା ପାଖରେ ନାହିଁ।

ମହାନଦୀ କୋଲ ଫିଲ୍ଡ (ଏମସିଏଲ)ରୁ ଯେତେ କୋଇଲା ଯୋଗାଣ କରିଛି ତାହାର ଅଧାରୁ କମ୍‍ ଅର୍ଥାତ୍‍ ୪୬ ପ୍ରତିଶତ ଓଡ଼ିଶାର ବିଭିନ୍ନ ଶିଳ୍ପସଂସ୍ଥାକୁ ମିଳିଛି। ଫୁଏଲ ସପ୍ଲାଇ ଏଗ୍ରିମେଣ୍ଟ(ଏଫ୍‍ଏସ୍‍ଏ) ଅନୁଯାୟୀ ଏମ୍‍ସିଏଲ୍‍ ସହିତ ହୋଇଥିବା ରାଜିନାମା ଆଧାରରେ ଶିଳ୍ପସଂସ୍ଥା ସହିତ ଘରୋଇ ତାପଜ ବିଦ୍ୟୁତ୍‍ କେନ୍ଦ୍ରକୁ ବି କୋଇଲା ଯୋଗାଣ ହେଉଛି। ଚଳିତ ଆର୍ଥିକ ବର୍ଷରେ ଡିସେମ୍ୱର ଶେଷ ପର୍ଯ୍ୟନ୍ତ ଏମ୍‍ସିଏଲ୍‍ ୧୧୭.୧୨ ନିୟୁତ ମେଟ୍ରିକ ଟନ୍‍ କୋଇଲା ଉତ୍ତୋଳନ କରିଥିବାବେଳେ ୧୨୯.୩୭ ନିୟୁତ୍‍ ଟନ୍‍ ଯୋଗାଣ କରିଛି। ଏମସିଏଲ ଯୋଗାଣ କରିଥିବା ମୋଟ୍‍ କୋଇଲା ମଧ୍ୟରୁ ଓଡ଼ିଶାରେ ବିଭିନ୍ନ ସଂସ୍ଥାକୁ ୫୯.୩୫ ନିୟୁତ୍‍ ଟନ୍‍ ଦିଆଯାଇଛି ଯାହା ମୋଟ୍‍ ଯୋଗାଣର ୪୬ ପ୍ରତିଶତ ବୋଲି ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

Related Articles

Back to top button