କଟକ () ଚିଲିକାର ମଙ୍ଗଳାଯୋଡିରେ ମୋଟର ବୋଟ ଚାଲୁଥିବା ଯୋଗୁଁ ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଆଗତ ଜନସ୍ବାର୍ଥ ମାମଲାରେ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହେବ । ଶୁଣାଣି ବେଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଭର୍ଚୁଆଲ ମାଧ୍ୟମରେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୋଟର ବୋଟ୍ ଚଳାଇବା ପାଇଁ କିଏ କେବେଠାରୁ ଅନୁମତି ଦେଇଛନ୍ତି ସେ ସମ୍ପର୍କିତ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଚିଲିକା ଡିଏଫଓ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ପୂର୍ବରୁ କୋର୍ଟ ନୋଟିସ ଜାରି କରିଥିଲେ ।
ମଙ୍ଗଳାଯୋଡି ଅଞ୍ଚଳରେ ଏଭଳି ମୋଟର ବୋଟ ଚଳାଇ ମାଛ ଧରା ଯାଉଥିବାରୁ ବୋଟର ଶବ୍ଦ ଯୋଗୁଁ ବିଦେଶାଗତ ପକ୍ଷୀମାନେ ଫେରି ଯାଉଥିବା ମାମଲାରେ ଦର୍ଶାଯାଇଛି । ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦିବାକର ବେହେରା ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି । ମଙ୍ଗଳାଯୋଡି ଜଳରାଶିରେ ମୋଟର ବୋଟ ଚଳପ୍ରଚଳକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଏଥିରେ ପ୍ରାର୍ଥନା କରାଯାଇଛି । ମଙ୍ଗଳାଯୋଡି ଅଞ୍ଚଳକୁ ଶାନ୍ତିପୂର୍ଣ୍ଣ ଜୋନ ଭାବେ ଘୋଷଣା କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ଷ୍ଟେଟ ଗେଷ୍ଟ ବା ରାଜ୍ୟ ଅତିଥି ଭାବେ ଘୋଷଣା କରିବାକୁ ପ୍ରାର୍ଥନା କରାଯାଇଛି ।
ମାମଲାରେ ଦର୍ଶାଯାଇଛି ଯେ, ହିମାଳୟ ଅଞ୍ଚଳ ସମେତ ସାଇବେରିଆ, କାଶପିଆନ ହ୍ରଦ ଅଞ୍ଚଳ, ବଇକାଲ ହ୍ରଦ, କାଜଖସ୍ଥାନ ଭଳି ଅଞ୍ଚଳରୁ ଏହି ପକ୍ଷୀମାନେ ଓଡ଼ିଶାର ଚିଲିକା ହ୍ରଦକୁ ଆସିଥାନ୍ତି । ଗତବର୍ଷ ଚିଲିକାରେ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ଟି ପକ୍ଷୀ ଆସିଥିବା ପକ୍ଷୀ ଗଣନାରୁ ଜଣାପଡିଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଦ୍ରଭୂମି ଯୋଗୁଁ ମଙ୍ଗଳାଯୋଡି ଅଞ୍ଚଳରେ ବିଚରଣ କରିବାକୁ ପସନ୍ଦ କରିଥାଆନ୍ତି । ତେଣୁ ଏଭଳି ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ମଙ୍ଗଳାଯୋଡି ଅଞ୍ଚଳକୁ ପକ୍ଷୀ ମାନଙ୍କର ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି ।