ଓଡ଼ିଶା

ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ୍ ଯୋଗୁଁ ବିଦେଶାଗତ ପକ୍ଷୀଙ୍କ ପାଇଁ ସୃଷ୍ଟି ହେଉଛି ସମସ୍ୟା, ଶୁକ୍ରବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି

କଟକ () ଚିଲିକାର ମଙ୍ଗଳାଯୋଡିରେ ମୋଟର ବୋଟ ଚାଲୁଥିବା ଯୋଗୁଁ ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଆଗତ ଜନସ୍ବାର୍ଥ ମାମଲାରେ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହେବ । ଶୁଣାଣି ବେଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଭର୍ଚୁଆଲ ମାଧ୍ୟମରେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୋଟର ବୋଟ୍ ଚଳାଇବା ପାଇଁ କିଏ କେବେଠାରୁ ଅନୁମତି ଦେଇଛନ୍ତି  ସେ ସମ୍ପର୍କିତ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଚିଲିକା ଡିଏଫଓ  ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ପୂର୍ବରୁ କୋର୍ଟ ନୋଟିସ ଜାରି କରିଥିଲେ ।
ମଙ୍ଗଳାଯୋଡି ଅଞ୍ଚଳରେ ଏଭଳି ମୋଟର ବୋଟ ଚଳାଇ ମାଛ ଧରା ଯାଉଥିବାରୁ ବୋଟର ଶବ୍ଦ ଯୋଗୁଁ ବିଦେଶାଗତ ପକ୍ଷୀମାନେ ଫେରି ଯାଉଥିବା ମାମଲାରେ ଦର୍ଶାଯାଇଛି । ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦିବାକର ବେହେରା ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି । ମଙ୍ଗଳାଯୋଡି ଜଳରାଶିରେ ମୋଟର ବୋଟ ଚଳପ୍ରଚଳକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଏଥିରେ ପ୍ରାର୍ଥନା କରାଯାଇଛି । ମଙ୍ଗଳାଯୋଡି ଅଞ୍ଚଳକୁ ଶାନ୍ତିପୂର୍ଣ୍ଣ ଜୋନ ଭାବେ ଘୋଷଣା କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ଷ୍ଟେଟ ଗେଷ୍ଟ ବା ରାଜ୍ୟ ଅତିଥି ଭାବେ ଘୋଷଣା କରିବାକୁ ପ୍ରାର୍ଥନା କରାଯାଇଛି ।
ମାମଲାରେ ଦର୍ଶାଯାଇଛି ଯେ, ହିମାଳୟ ଅଞ୍ଚଳ ସମେତ ସାଇବେରିଆ, କାଶପିଆନ ହ୍ରଦ ଅଞ୍ଚଳ, ବଇକାଲ ହ୍ରଦ, କାଜଖସ୍ଥାନ ଭଳି ଅଞ୍ଚଳରୁ ଏହି ପକ୍ଷୀମାନେ ଓଡ଼ିଶାର ଚିଲିକା ହ୍ରଦକୁ  ଆସିଥାନ୍ତି । ଗତବର୍ଷ ଚିଲିକାରେ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ଟି ପକ୍ଷୀ ଆସିଥିବା ପକ୍ଷୀ  ଗଣନାରୁ ଜଣାପଡିଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଦ୍ରଭୂମି ଯୋଗୁଁ ମଙ୍ଗଳାଯୋଡି ଅଞ୍ଚଳରେ ବିଚରଣ କରିବାକୁ ପସନ୍ଦ କରିଥାଆନ୍ତି । ତେଣୁ ଏଭଳି ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ମଙ୍ଗଳାଯୋଡି ଅଞ୍ଚଳକୁ ପକ୍ଷୀ ମାନଙ୍କର ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com