ରାହୁଲ ଗାନ୍ଧି ହେଉଛନ୍ତି କଂଗ୍ରେସ ଦଳର ‘ରାହୁ କାଳ’ ! ସଂସଦରେ ଏମିତି କହି ସମାଲୋଚନା କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ() ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାତି ସରଗରମ ରହିଥିବା ବେଳେ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଲାଗିରହିଛି । ନିର୍ବାଚନ ରାଲିରେ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ସଂସଦରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପରେ ଚର୍ଚ୍ଚା କରୁଥିବା ବେଳେ ବିରୋଧୀ କଂଗ୍ରେସ ସଦସ୍ୟ ଅମୃତ କାଳ ଉପରେ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଏହା ଅମୃତ କାଳ ନୁହେଁ ବରଂ ରାହୁ କାଳ ।
ଏହାର ଦୃଢ ଜବାବ ଦେବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସରେ ଯେ ପର୍ଯ୍ୟନ୍ତ ରାହୁଲ କାଳ ରହିବ ସେ ପର୍ଯ୍ୟନ୍ତ ରାହୁ କାଳ ଶେଷ ହେବ ନାହିଁ ।
ବଜେଟ୍ କୁ ନେଇ ଆଲୋଚନା ସମୟରେ ନିର୍ମଳା ସୀତାରମଣ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରୁଥିଲେ । ଏହି ସମୟରେ କଂଗ୍ରେସ ସାଂସଦ ସରକାରଙ୍କ ଅମୃତ କାଳକୁ ନେଇ ସମାଲୋଚନା କରିଥିଲେ । ଅମୃତ କାଳ ନୁହେଁ ବରଂ ରାହୁ କାଳ ବୋଲି କହିଥିଲେ କଂଗ୍ରେସ ସଦସ୍ୟ । ଏହାକୁ ନେଇ ଦୃଢ ପ୍ରତିକ୍ରିୟା ରଖିଛନ୍ତି ଅର୍ଥ ମନ୍ତ୍ରୀ । ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ପାର୍ଟି ପାଇଁ ନିହାତି ଭାବେ ରାହୁ କାଳ ଚାଲିଛି । କାରଣ ଯେ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରାହୁଲ କାଳ ଚାଲିବ ସେ ପର୍ଯ୍ୟନ୍ତ ରାହୁ କାଳ ଶେଷ ହେବନି । କଂଗ୍ରେସ ଦଳ ଏବଂ ତାହାର ନୀତିକୁ ନେଇ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ବିତ୍ତ ମନ୍ତ୍ରୀ ।
ଗୃହ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ କଂଗ୍ରେସ ସାଂସଦ ଶକ୍ତି ସିଂହ ଗୋହିଲ କହିଛନ୍ତି, ‘କ୍ଷମତାରେ ଥିବା ଦଳ ରାହୁଲ ଗାନ୍ଧିଙ୍କୁ ଡରୁଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ତମାମ୍ ନେତା ରାହୁଲ ଗାନ୍ଧିଙ୍କୁ ଏଥିପାଇଁ ପ୍ରତ୍ୟାକ୍ରମଣ କରୁଛନ୍ତି କାରଣ ରାହୁଲ ଗାନ୍ଧି ଲଗାତାର ଭାବେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । କେନ୍ଦ୍ର ସରକାର ଏବଂ ବିଜେପି ନେତାଙ୍କୁ ଭଲ ଭାବରେ ଜଣା ଅଛି ଯେ, ରାହୁଲ ଗାନ୍ଧି ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ସରକାର ଏବଂ ମନ୍ତ୍ରୀମାନଙ୍କ ସତ ପଦାରେ ପକାଇବ’।