ଜାତୀୟଶିକ୍ଷା

ଅଷ୍ଟମ୍ ପାସ୍ କରିଥିବା ମହିଳାଙ୍କର ଗୋଟେ ପୁଅ ଆଇଆରଏସ୍, ଅନ୍ୟ ଜଣେ ଆଇପିଏସ୍ ଓ ଝିଅ ଡେପୁଟି କଲେକ୍ଟର୍; ଏବେ ୬୦ ବର୍ଷରେ ନିଜେ ପଢ଼ୁଛନ୍ତି ପାଠ

ନୂଆଦିଲ୍ଲୀ: କୁହାଯାଏ ଯେଉଁଠି ଇଚ୍ଛା ଅଛି ସେଠାରେ ଉପାୟ ବି ରହିଛି । ସ୍ୱପ୍ନ ଯଦି ଦେଖିଛ ତେବେ ତାକୁ ପୂରା କରିବା ଉଚିତ୍ । କିଛି ଏହିଭଳି ହିଁ କାହାଣୀ ହେଉଛି ଛତିଶଗଡ଼ର ମହାସମୁନ୍ଦର ଗୃହିଣୀ କୌଶଲ୍ୟା ବଂସଲଙ୍କର । ଯିଏକି କଠୋର ପରିଶ୍ରମ କରି ନିଜ ପିଲାମାନଙ୍କୁ ସଫଳ କରିପାରିଛନ୍ତି । ନିଜ ସ୍ୱପ୍ନକୁ ଦବାଇ ପିଲାମାନଙ୍କ ସ୍ୱପ୍ନକୁ ପୂରା କରିଛନ୍ତି । ଆଉ ପିଲାମାନେ ମଧ୍ୟ ବାପାମାଆଙ୍କ ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି । ୟୁପିଏସସୀ ଓ ସିଜି ପିଏସସୀ ପରୀକ୍ଷାରେ ସଫଳତା ହାସଲ କରି ପିଲାମାନେ ଏବେ ଆଇଆରଏସ୍, ଆଇପିଏସ୍ ଓ ଡେପୁଟି କଲେକ୍ଟର୍ ଭଳି ପଦବୀରେ ଚାକିରୀ ପାଇଛନ୍ତି । ଅନ୍ୟପଟେ ଅଷ୍ଟମ ପାସ୍ କରିଥିବା କୌଶଲ୍ୟା ଏବେ ନିଜେ ଆଗକୁ ପାଠ ପଢ଼ୁଛନ୍ତି ।

ମହାସମୁନ୍ଦରେ ରହୁଥିବା କୌଶଲ୍ୟା ବଂସଲଙ୍କର ୧୭ ବର୍ଷ ବୟସରେ ବିବାହ ହୋଇଯାଇଥିଲା । ସେ ସମୟରେ ସେ କେବଳ ଅଷ୍ଟମ୍ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ । ୫ଟି ଭଉଣି ଓ ୫ଟି ଭାଇ ମଧ୍ୟରେ ସେ ସବୁଠାରୁ ବଡ଼ ଭଉଣୀ ଥିଲେ । ତେଣୁ ସାନ ଭାଇ ଭଉଣୀଙ୍କ ଦେଖାରେଖା କରିବାକୁ ପଡ଼ୁଥିଲା କୌଶଲ୍ୟାଙ୍କୁ । ଘର କାମ ଓ ସେମାନଙ୍କ କଥା ବୁଝିବାକୁ ପଡ଼ୁଥିଲା । ହେଲେ ମନରେ ପାଠ ପଢ଼ିବାର ଦୃଢ଼ ଇଚ୍ଛା ରହିଥିଲା । କିନ୍ତୁ ବିବାହ ପରେ ତାଙ୍କ ପାଠ ପଢ଼ିବା ସ୍ୱପ୍ନ କେବଳ ଏକ ସ୍ୱପ୍ନ ହୋଇ ରହିଯାଇଥିଲା । ହେଲେ ସେ ନିଜ ପିଲା ମାନଙ୍କୁ ସଫଳ କରିବାରେ ସକ୍ଷମ ହୋଇଥିଲେ ।

ଯେତେବେଳେ ସେ ନିଜେ ମାଆ ହୋଇଥିଲେ ସେ ସ୍ଥିର କରିଥିଲେ ଯେ, ସେ ନ ପଢ଼ିପାରିଲେ ବି ନିଜ ପିଲାମାନଙ୍କ ଭବିଷ୍ୟତ ସହ କୌଣସି ବୁଝାମଣା କରିବେ ନାହିଁ । ଆଉ ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସହିତ ରହିଥିଲେ । ସେ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ବି ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇଥିଲେ । କୌଶଲ୍ୟାଙ୍କର ତିନିଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବଡ଼ ପୁଅ ଶ୍ରବଣ ବଂସଲ ଜିଏସଟି ରାୟପୁରରେ କମିଶନ ପଦରେ ରହିଛନ୍ତି । ମଝିଆ ପୁଅ ମନୀଷ ବଂସଲ ନିଜ ବାପାଙ୍କର ବ୍ୟବସାୟ ବୁଝାବୁଝି କରୁଛନ୍ତି ଓ ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ । ସାନ ପୁଅ ତ୍ରିଲୋକ ବଂସଲ ଜଣେ ଆଇପିଏସ୍ । ସେହିପରି ତାଙ୍କ ଝିଅ ଶୀତଲ ବଂସଲ ଡେପୁଟି କଲେକ୍ଟର୍ । ସେ ବର୍ତ୍ତମାନ ଏସଡିଲମ୍ ପବଦୀରେ କାର୍ଯ୍ୟରତ ।

୪ଟି ଯାକ ସନ୍ତାନ ଜୀବନରେ ସଫଳତା ହାସଲ କରିବାରେ ଏବେ କୌଶଲ୍ୟା ନିଜ ପାଠ ପଢ଼ାକୁ ଆରମ୍ଭ କରିଛନ୍ତି । ପୂର୍ବରୁ ଅଷ୍ଟମ୍ ପାସ୍ କରିଥିବା ବେଳେ ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାସ୍ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com