ମୋର ଦୁଇ ଯୁବତୀଙ୍କ ବ୍ରେନ ୱାସ କରୁଛନ୍ତି ସଦଗୁରୁ: ଏସ.କାମରାଜ

ନୂଆଦିଲ୍ଲୀ: ବିବାଦରେ ଛନ୍ଦି ହେଲେ ସଦଗୁରୁ ଜାଗି ବାସୁଦେବଙ୍କ ଇଶା ଫାଉଣ୍ଡେସନ । ତଦନ୍ତ ପରିସରକୁ ଆସିଛି ଇଶା ଫାଉଣ୍ଡେସନ । ୧୫୦ ପୋଲିସ ଅଧିକାରୀ କୋଏମ୍ବାଟୁରରେ ଥିବା ଇଶା ଫାଉଣ୍ଡେସନ ଆଶ୍ରମରେ ପଶି ତନାଘନା କରିଛି ।
ଫାଉଣ୍ଡେସନ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଫୌଜଦାରୀ ମାମଲା ସଂପର୍କରେ ରିପୋର୍ଟ ଲୋଡିଥିଲେ ମାଡ୍ରାସ ହାଇକୋର୍ଟ । ଏଥିପାଇଁ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ପରେ ୧୫୦ ପୋଲିସ ଅଫିସରଙ୍କ ଏକ ଟିମ୍ ଇଶା ଫାଉଣ୍ଡେସନ ଆଶ୍ରମରେ ପହଂଚି ଯାଂଚ କରିଛନ୍ତି । ଆସିଷ୍ଟାଣ୍ଟ ଡେପୁଟି ଏସପିଙ୍କ ନେତୃତ୍ୱରେ ଫାଉଣ୍ଡେସନ ଆଶ୍ରମରେ ଚଢାଉ କରାଯାଇଥିଲା ।
ଆଶ୍ରମ ପରିସରରେ ସ୍ଥିତି ପରଖିଥିଲେ ପୋଲିସ ଅଫିସରଙ୍କ ଟିମ୍ । ଇଶା ଫାଉଣ୍ଡେସନ ଓ ସଦଗୁରୁ ଜାଗି ବାସୁଦେବଙ୍କ ବିରୋଧରେ କିଛି ଅଭିଯୋଗ କରାଯାଇଛି । ଫାଉଣ୍ଡେସନର ଆଶ୍ରମରେ ଅନ୍ତେବାସିନୀଙ୍କୁ ସନ୍ନ୍ୟାସିନୀ ଜୀବନ ବିତାଇବା ପାଇଁ ପ୍ରବର୍ତ୍ତାଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ବ୍ରେନୱାସ କରାଯାଉଥିବା ନେଇ ହୋଇଛି ଅଭିଯୋଗ ।
ପ୍ରକୃତରେ ଜଣେ ରିଟାୟାର୍ଡ ପ୍ରଫେସର ଡକ୍ଟର ଏସ. କାମରାଜ ଇଶା ଫାଉଣ୍ଡେସନ ବିରୋଧରେ ଗୁରୁତର ଅଭିଯୋଗ କରି ଦାଖଲ କରିଥିଲେ ପିଟିସନ । ଇଶା ଫାଉଣ୍ଡେସନରେ ତାଙ୍କର ଦୁଇ ଝିଅଙ୍କୁ ଇଚ୍ଛା ବିରୁଦ୍ଧରେ ରଖାଯାଇଛି ବୋଲି ଅଭିଯୋଗ କରିଥିଲେ ଡକ୍ଟର କାମରାଜ । ୪୨ ବର୍ଷିୟା ଗୀତା ଓ ୩୯ ବର୍ଷିଆ ଲତା କାମରାଜଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ଫାଉଣ୍ଡେସନରେ ରଖାଯାଇ ବ୍ରେନ ୱାସ୍ କରାଯାଉଛି ବୋଲି ଚାଂଚଲ୍ୟକର ଅଭିଯୋଗ କରିଛନ୍ତି ଡକ୍ଟର କାମରାଜ ।
ପରିବାର ସହ ସଂପର୍କ ତୁଟାଇ ଯୋଗିନୀ ଜୀବନ ବିତାଇବାକୁ ବାଧ୍ୟ କରାଯାଉଥିବା ନେଇ ପିଟିସନରେ ଦର୍ଶାଇଥିଲେ ରିଟାୟର୍ଡ ପ୍ରଫେସର । ପ୍ରଫେସରଙ୍କ ପିିଟିସନ ପରେ ଇଶା ଫାଉଣ୍ଡେସନ ଆଶ୍ରମରେ ଗତିବିଧି ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ । ଏଥିସହ ଫାଉଣ୍ଡେସନ ବିରୋଧରେ ପଂଜୀକୃତ ଫୌଜଦାରୀ ମାମଲାର ବିସ୍ତୃତ ତଥ୍ୟ ମାଗିଥିଲେ କୋର୍ଟ ।
ଆଶ୍ରମରେ ଯୁବତୀମାନଙ୍କୁ ବ୍ରେନୱାସ କରାଯାଇ ସେମାନଙ୍କୁ ସନ୍ୟାସିନୀ ଜୀବନ ବିତାଇବା ପାଇଁ କୁହାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛି ଇଶା ଫାଉଣ୍ଡେସନ। କାହାକୁ ବି ବିବାହ ବା ସନ୍ୟାସ ଜୀବନ ପାଇଁ ବାଧ୍ୟ କରାଯାଉନାହିଁ । ଏହା ସେମାନଙ୍କ ବ୍ୟକ୍ତିଗତ ଇଛା ବୋଲି ଏକ ବିବୃତି ଜାରି କରି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଫାଉଣ୍ଡେସନ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ ।
ମାଡ୍ରାସ ହାଇକୋର୍ଟ ଚୂଡାନ୍ତ ରିପୋର୍ଟ ପ୍ରଦାନ ଉପରେ ରହିତାଦେଶ ଜାରି କରିଥିବା ଇଶା ଫାଉଣ୍ଡେସନ କହିଛି । ଇଶା ଫାଉଣ୍ଡେସନ ହେଉଛି ସଦଗୁରୁ ଜାଗି ବାସୁଦେବଙ୍କ ଦ୍ୱାରା ସ୍ଥାପିତ ଏକ ଅଣଲାଭକାରୀ ସ୍ୱେଚ୍ଛାସେବୀ ସଂଗଠନ । ଏହାକୁ ଆଧ୍ୟାତ୍ମିକ ସଂସ୍ଥା ବୋଲି କହନ୍ତି ସଦଗୁରୁ । ୧୯୯୨ରେ ଏହାର ପ୍ରତିଷ୍ଠା କରାଯାଇଥିଲା । କୋଏମ୍ବାଟୁରରେ ଇଶା ଫାଉଣ୍ଡେସନର ଆଶ୍ରମ ରହିଛି ।
ଏଠାରେ ଇଶା ଯୋଗ ନାମକ ଯୋଗ ଶିକ୍ଷା ଦିଆଯାଏ । ଆଶ୍ରମରେ ଅନ୍ତେବାସିନୀଙ୍କୁ ନେଇ ଆଗରୁ ମଧ୍ୟ ବିବାଦରେ ରହିଛି ଫାଉଣ୍ଡେସନ । ପରିବେଶ ନିୟମକୁ ଉଲ୍ଲଂଘନ କରି ଫାଉଣ୍ଡେସନର ଆଶ୍ରମ ଅବୈଧ ଭାବେ ନିର୍ମାଣ ହୋଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହାଛଡା ସଦଗୁରୁଙ୍କ ଗୈରିକ ସଂଗଠନ ପ୍ରତି ଆନୁଗତ୍ୟ ଥିବା ନେଇ ବି ଚର୍ଚ୍ଚା ହୁଏ ।
ଅନ୍ୟପଟେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଈଶା ଫାଉଣ୍ଡେସନରେ ପୁଲିସ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ। କୋର୍ଟ ପୁଲିସ କିମ୍ବା ସେନାକୁ ଏପରି ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ତେବେ ଏହି ମାମଲା ଉପରେ ଆସନ୍ତା 18ରେ ପରବର୍ତ୍ତୀ ଶୁଣାଣି କରାଯବି। ସେପଟେ ଈଶା ଫାଉଣ୍ଡେସନ ଆବେଦନକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ଝିଅଙ୍କୁ ବଳପୂର୍ବକ ଆଶ୍ରମରେ ରଖାଯାଇ ନାହିଁ, ବରଂ 2019ରେ ସେମାନେ ନିଜ ଇଚ୍ଛାରେ ଆଶ୍ରମରେ ରହୁଥିବା କହିଛନ୍ତି ।