ଓଡ଼ିଶା

ନିର୍ବାଚନ ପ୍ରଚାର ବାହାନାରେ ଆସି ମହିଳାଙ୍କ ବେକରେ ଲଗାଇଦେଲେ ଛୁରୀ, ଲୁଟିନେଲେ ସୁନା ଓ ଟଙ୍କା

ନବରଙ୍ଗପୁର() ନିର୍ବାଚନ ପ୍ରଚାର ବାହାନାରେ ଆସି ଡକାୟତି ।  ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାହାଜଭଟ୍ଟା ସାହିରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ନିର୍ବାଚନ ପ୍ରଚାର ବାହାନାରେ ପସିଥିଲେ । ମହିଳାଙ୍କ ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ଲୁଟ୍ କରିଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଝାହାଜଭଟ୍ଟା ସାହିର ମୁକୁନ୍ଦ ହରିଜନଙ୍କ ସ୍ତ୍ରୀ ପିଙ୍କି ହରିଜନ ଘରେ  ସନ୍ଧ୍ୟା ସମୟରେ ଏକୁଟିଆ ଥିବାବେଳେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କ ଘରକୁ ଯାଇ ଆମେ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଛୁ କହିଥିଲେ । ଆମ ଚିହ୍ନରେ ଭୋଟ୍ ଦେବ କହି କବାଟ ବାଡେଇ ଡାକିଥିଲେ ।  ପିଙ୍କି କବାଟ ଖୋଲିବା ବେଳେ ତିନି ଜଣ ଦୁର୍ବୃତ୍ତ ପିଙ୍କିଙ୍କ ବେକରେ ଛୁରୀ ଲଗାଇ ଆଲମିରା ଚାବି ମାଗିଥିଲେ । ପାଟିକଲେ ଜୀବନରେ ମାରିଦେବୁ କହିବାରୁ ମହିଳା ଜଣକ ଆଲମିରା ଚାବି ସେମାନଙ୍କୁ ଦେଇଦେଲେ । ଦୁର୍ବୃତ୍ତମାନେ ଆଲମିରାରୁ ଦେଢ଼ ଭରି ଓଜନର ସୁନା ହାର, ହଳେ ସୁନା କାନ ଫୁଲ ଓ ନଗଦ ୭୦ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଏତଲାରେ ଜଣାଇଛନ୍ତି । ଏତଲା ପାଇ କୋଡ଼ିଙ୍ଗା ଥାନା ଅଧିକାରୀ ଦୁର୍ଗାମାଧବ ବାଗ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପାଇଁ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଛି । ଏନେଇ କୋଡ଼ିଙ୍ଗା ଥାନାରେ କେସ୍ ନମ୍ବର ୧୮/୨୨ରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ତଦନ୍ତ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com