ଉଦୀୟମାନ କ୍ରିକେଟର ୟସ୍ ଧୂଲଙ୍କ ଡବଲ୍ ଧମାଲ, ଡେବ୍ୟୁ ମ୍ୟାଚ୍ର ଉଭୟ ଇନିଂସରେ ଖେଳିଲେ ଶତକୀୟ ଇନିଂସ
![](https://i0.wp.com/odia.mobilenews24x7.com/wp-content/uploads/2022/02/1-17.png?resize=600%2C330&ssl=1)
ନୂଆଦିଲ୍ଲୀ() ଭାରତର ଅଣ୍ଡର-୧୯ ବିଶ୍ବକପ ବିଜେତା ଦଳର ଅଧିନାୟକ ୟସ୍ ଧୂଲ ଏବେ ଚମକୁଛନ୍ତି । ପ୍ରଥମେ ୧୯ ବର୍ଷରୁ କମ ବିଶ୍ବକପରେ କମାଲ କରିବା ପରେ ଏବେ ରଣଜୀ ଟ୍ରଫିରେ ନିଜର ଚମତ୍କାରୀତା ଦେଖାଉଛନ୍ତି ୟସ୍ । ଡେବ୍ୟୁ ମ୍ୟାଚ୍ର ପ୍ରଥମ ଇନିଂସରେ ଶତକୀୟ ଇନିଂସ୍ ଖେଳିଥିବା ବେଳେ ଦ୍ବିତୀୟ ଇନିଂସରେ ମଧ୍ୟ ଶତକ ହାସଲ କରିଛନ୍ତି । ଉଭୟ ପଳେିରେ ଶତକ ହାସଲ କରି ରେକର୍ଡ କରିଛନ୍ତି ସେ । ଏଭଳି ନିଆରା ରେକର୍ଡ କରିବାରେ ସେ ଦିଲ୍ଲୀ ଦଳର ପ୍ରଥମ ଏବଂ ସର୍ବଭାରତୀୟ ସ୍ତରରେ ତୃତୀୟ ଖେଳାଳି ହୋଇଯାଇଛନ୍ତି ।
ଦିଲ୍ଲୀର ଏହି ଯୁବ କ୍ରିକେଟର୍ଙ୍କୁ ନେଇ ବେଶ୍ ଚର୍ଚ୍ଚା । ରଣଜୀ ଟ୍ରଫି ମୁକାବିଲାରେ ତାମିଲନାଡୁ ବିପକ୍ଷ ମ୍ୟାଚ୍ରେ ଚମତ୍କାର ଶତକ ହାସଲ କରିଛନ୍ତି ୟସ୍ ଧୂଲ । ପ୍ରଥମ ଇନିଂସରେ ଶତକ ଏବଂ ଦ୍ବିତୀୟ ଇନିଂସରେ ମଧ୍ୟ ଶତକୀୟ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫି ମ୍ୟାଚ୍ର ଚତୁର୍ଥ ଦିନରେ ତାମିଲନାଡୁ ବିପକ୍ଷରେ ୧୧୩ରନର ଅପରାଜିତ ପାଳି ଖେଳିଛନ୍ତି । ପ୍ରଥମ ଇନିଂସରେ ବି ୧୧୩ ରନ କରିଥିଲେ ୟସ୍ ଧୂଲ । ଦ୍ବିତୀୟ ଇନିଂସରେ ୨୦୨ ବଲରୁ ୧୪ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୧୩ ରନ କରିଛନ୍ତି । ଅବଶ୍ୟ ଏହି ମ୍ୟାଚ୍ ଡ୍ର ଭାବେ ଶେଷ ହୋଇଛି କିନ୍ତୁ ୟସ୍ଙ୍କ ଇନିଂସକୁ ସମସ୍ତେ ତାରିଫ୍ କରୁଛନ୍ତି ।
ରଣଜୀ ଟ୍ରଫି ଇତିହାସରେ ଗୋଟିଏ ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିବାରେ ୟସ୍ ଧୂଲ ୭ମ ଖେଳାଳି ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଏମ୍କେ ପଟୌଦୀ, ସୁରିନ୍ଦର ଖାନ୍ନା, ମଦନ୍ ଲାଲ୍, ଅଜୟ ଶର୍ମା, ଏମ୍ ଲମ୍ବା ଏବଂ ଋଷଭ ପନ୍ତ ଏଭଳି ରେକର୍ଡ କରିଥିଲେ ।
ଦିଲ୍ଲୀ ଏବଂ ତାମିଲନାଡୁ ରଣଜୀ ମ୍ୟାଚ୍ କଥା କହିବାକୁ ଗଲେ, ପ୍ରଥମ ଇନିଂସରେ ଦିଲ୍ଲୀ ୪୫୨ ରନ୍ କରଥିଲା । ଏହାର ଜବାବରେ ତାମିଲନାଡୁ ଟିମ୍ ପ୍ରଥମ ଇନିଂସରେ ୪୯୪ ରନ କରିଥିଲା । ଦ୍ବିତୀୟ ଇନିଂସରେ ଦିଲ୍ଲୀ ବିନା ଓ୍ବିକେଟ୍ରେ ୨୨୮ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଦ୍ବିତୀୟ ଇନିଂସରେ ୟସ୍ ଧୂଲ ୧୧୩ ରନ ଏବଂ ଧ୍ରୁବ୍ ଶୌରୀ ୧୦୭ରନ କରିଥିଲେ । ତେବେ ମ୍ୟାଚ୍ ଡ୍ର ରହିବାରୁ ଏବଂ ପ୍ରଥମ ଇନିଂସରେ ତାମିଲନାଡୁ ଅଧିକ ସ୍କୋର କରିବାରୁ ତାକୁ ୩ ପଏଣ୍ଟ ମିଳିଛି ।