ଜାତୀୟ

ଧରା ପଡ଼ିଲା ଡ୍ରାଗନ୍‌ର ମିଛ; ଗଲୱାନ ନଦୀରେ ଭାସି ଯାଇଥିଲେ ୩୮ ଚୀନ୍‌ ସୈନ୍ୟ

ନୂଆଦିଲ୍ଲୀ() ୨୦୨୦ ମସିହାରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଗଲୱାନ ସଂଘର୍ଷରେ  ୩୮ PLA ସୈନ୍ୟ ଗଲୱାନ ନଦୀରେ ଭାସି ଯାଇଥିଲେ। ଦୀର୍ଘ ବର୍ଷ ଧରି ଚୀନ୍‌ ଲୁଚାଉଥିବା ତଥ୍ୟକୁ ପଦାରେ ପକାଇଛି ଅଷ୍ଟ୍ରେଲିଆ ଖବରକାଗଜ ସଂସ୍ଥା ‘ଦ କ୍ଲାକ୍ସନ୍’। ଗଲୱାନ ଘାଟିରେ ୨୦୨୦ ଜୁନ ୧୫ ରାତିରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଚୀନ୍‌ ପକ୍ଷରୁ ନିଜ ମୃତ ସୈନ୍ୟଙ୍କ ସଂଖ୍ୟା ୪ ବୋଲି କୁହାଯାଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛି ‘ଦ କ୍ଲାକ୍ସନ୍’ ।

ପ୍ରକୃତ ପକ୍ଷେ, ଗଲୱାନ ଘାଟିରେ ଚୀନ୍‌କୁ ଲାଗିଥିଲା ଶକ୍ତ ଝଟକ । ହେଲେ ଏହାକୁ ଲୁଚାଇବାକୁ ଡ୍ରାଗନ ବର୍ଷ ବର୍ଷ ଧରି ରଚିଥିଲା ମିଥ୍ୟା ନାଟକ । ଚୀନର ସ୍ୱୀକୋରୋକ୍ତି ତୁଳନାରେ ୯ ଗୁଣା ଅଧିକ ସୈନିକ ମରିଛନ୍ତି ବୋଲି କହିଛି ‘ଦ କ୍ଲାକ୍ସନ୍’ । ରାତାରାତି ଗଲୱାନ ନଦୀ ପାର ହୋଇ ଭାରତୀୟ ସୈନ୍ୟଙ୍କୁ ଆକ୍ରମଣ କରିବାକୁ ଚୀନ୍‌ ଷଡଯନ୍ତ୍ର ରଚିଥିବା ବେଳେ ଫସର ଫାଟିଗଲା ସବୁ ପ୍ଲାନ୍‌। ନଦୀର ପ୍ରଖର ସ୍ରୋତରେ ୩୮ ଚୀନ ସୈନିକ ଭାସିଯାଇଥିବା ବେଳେ ଏହାକୁ ଚୀନ୍‌ କିନ୍ତୁ କେବେ ସ୍ୱିକାର କରିନି  ।

ଦୀର୍ଘ ବର୍ଷେ ଧରି ଅନୁଧ୍ୟାନ କରି ବିଭିନ୍ନ ତଥ୍ୟ ସମ୍ବଳିତ ଏହି ରିପୋର୍ଟ ପ୍ରକାଶ କରିଛି ‘ଦ କ୍ଲାକ୍ସନ’ । ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ୨୦ ବୀର ଭାରତୀୟ ଯବାନ ମଧ୍ୟ ସହିଦ ହୋଇଥିଲେ ।

‘ଦ କ୍ଲାକ୍ସନ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଲୱାନ ନଦୀର ଏକ ପାର୍ଶ୍ୱରେ ଭାରତ ପକ୍ଷରୁ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କାମ ଆରମ୍ଭ ହେବା ପରଠୁ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଚୀନ୍‌ ପକ୍ଷରୁ ମଧ୍ୟ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା।

ରିପୋର୍ଟ ଅନୁଯାୟୀ, ୨୦୨୦ ଏପ୍ରିଲ ପରଠୁ ଚୀନ୍‌ ବାରମ୍ବାର ଭାରତ ସହ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଘଂନ କରିବାକୁ ଚେଷ୍ଟା ଚଳାଇଲା। ଭାରତ ପକ୍ଷରୁ ଗଲୱାନ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କାମ ଆରମ୍ଭ ହେବା ପରେ ଚୀନ୍‌ ଏହାକୁ ବିରୋଧ କରିବା ଆରମ୍ଭ କଲା। ୬ ଜୁନ୍‌ରେ ୮୦ ଚୀନ୍‌ ସୈନ୍ୟ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେଲେ। ଏହାପରେ ବଫର ଜୋନ୍‌ରୁ ଉଭୟ ପକ୍ଷ ପଛକୁ ହଟିବେ ବୋଲି ଉକ୍ତ ଦିନ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେଲା।

ହେଲେ ୧୫ ଜୁନ୍‌ରେ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସୈନ୍ୟ ଚୀନ୍‌ର ଗତିବିଧୀ ଦେଖିବାକୁ ଯାଇଥିବା ବେଳେ ଚୀନ୍‌ ସୈନ୍ୟ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଗଲା ସଂଘର୍ଷ। ଏହାପରେ ରାତିର ଅନ୍ଧାରରେ ଗଲୱାନ ନଦୀ ଅତିକ୍ରମ କରିବାକୁ ସ୍ଥିର କଲେ ଚୀନ୍‌ ସୈନ୍ୟ। ହେଲେ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ବହୁ ଚୀନ୍‌ ସୈନ୍ୟ ।

ସୂଚନାଯୋଗ୍ୟ, ଗତ  ୪ ଦଶନ୍ଧିରେ ପ୍ରଥମ ଥର ପାଇଁ ୨୦୨୦ ମସିହାରେ ଚାଇନା ଓ ଭାରତ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଚୀନ୍‌ ଏହି ସଂଘର୍ଷରେ ତା’ର ୪ ସୈନ୍ୟ ପ୍ରାଣ ହରାଇଥିବା କହୁଥିଲା। ଏଥିସହ ଗତ ଫେବୃଆରୀରେ ଉକ୍ତ ୪ ଜଣଙ୍କୁ  ମରଣୋତ୍ତର ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କଲା। ଚୀନ୍‌ କହିବା ଅନୁଯାୟୀ, ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସଂଘର୍ଷରେ ମୃତ୍ୟୁ ହୋଇଥିବା ବେଳେ ପାଣିରେ ବୁଡ଼ି ଜଣେ ଜୀବନ ହାରିଛନ୍ତି।  ହେଲେ ଏବେ ସତ ପଦାକୁ ଆସିବା ପରେ ବିଶ୍ୱ ଦରବାରରେ ପୁଣି ଥରେ ଚୀନ୍‌ର ମିଛ ଧରା ପଡ଼ି ଯାଇଛି।

 

Related Articles

Back to top button