ଓଡ଼ିଶା

ଝିଅ ୟୁକ୍ରେନରେ, ଚିନ୍ତାରେ ଓଡ଼ିଆ ସାମ୍ବାଦିକ ରମେଶ ପାଳଙ୍କ ପରିବାର ଆମମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟପଦାର୍ଥ ଯୋଗାଡ଼ କରି ବଙ୍କର୍‌ ଭିତରକୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି- ସୌମ୍ୟା ପାଳ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିବା ପରେ ଭୟଭୀତ ହୋଇପଡ଼ିଛନ୍ତି ସେଠାରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରଛାତୀମାନେ। ସେଠାକାର ପରିସ୍ଥିତି ବରାବର ବିଗୁଡୁଥିବାରୁ ଅସୁରକ୍ଷିତ ମନେକରି ପରିବାର ଲୋକମାନଙ୍କ ସହିତ ଘନ ଘନ ଯୋଗାଯୋଗ କରୁଛନ୍ତି। ଅଧିକାଂଶ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରୟାସ କରୁଥିବା ବେଳେ ହଠାତ୍‌ ଯୁଦ୍ଧର ଆରମ୍ଭ ସେମାନଙ୍କୁ ବିଚଳିତ କରିଦେଇଛି। ଭୟର ବାତାବରଣ ସୃଷ୍ଟି ହେବା ସହିତ ବର୍ତ୍ତମାନ ସୁରକ୍ଷିତ ଜନ୍ମମାଟିକୁ ଫେରିବାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରୟାସ କରୁଛନ୍ତି।

ଫରିଦାବାଦରେ ରହୁଥିବା ବରିଷ୍ଠ ଓଡ଼ିଆ ସାମ୍ବାଦିକ ରମେଶ ପାଳ ଏବଂ ପତ୍ନୀ ପୁଷ୍ପାଞ୍ଜଳି ପାଳଙ୍କ  ଏକମାତ୍ର କନ୍ୟା ସୌମ୍ୟା ପାଳ ଗତ ତିନି ବର୍ଷରୁ  ୟୁକ୍ରେନ୍ର ଭିନିସିଆରେ ଘରୋଇ ମେଡ଼ିକାଲ କଲେଜରେ ଅଧ୍ୟୟନ କରୁଛନ୍ତି। ଦିଲ୍ଲୀର ପ୍ରତିଷ୍ଠିତ ସାଧୁବାସୱାନୀ ସ୍କୁଲରେ ଦ୍ବାଦଶ ଶ୍ରେଣୀ ଶିକ୍ଷା ଶେଷ କରିବା ପରେ ସେ ୨୦୧୯ରେ ୟୁକ୍ରେନ ମୁହାଁ ହୋଇଥିଲେ। ମେଡିକାଲ ପାଠ୍ୟକ୍ରମ ଶେଷ କରି ଭାରତରେ ଡାକ୍ଟରୀ କରିବା ତାଙ୍କର ଲକ୍ଷ୍ୟ। ୟୁକ୍ରେନରେ ୨୦୨୪ରେ ତାଙ୍କର ମେଡିକାଲ ପାଠ୍ୟକ୍ରମ ଶେଷ ହେବ। ରୁ୍ଷ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟି ହୋଇଥିବା ସଂପ୍ରତି ଯୁଦ୍ଧ ତାଙ୍କର ଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି। କିଛି ଦିନ ପୂର୍ବେ ଜନଜୀବନ ସାମାନ୍ୟ ଥିବା ବେଳେ ବର୍ତ୍ତମାନ ତାହା ଧୀରେ ଧୀରେ ବିଗିଡ଼ି ଯାଇଥିବାରୁ ତାଙ୍କର ସୁରକ୍ଷା ତଥା ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ପାଳ ଦମ୍ପତି।

Representative Image Courtesy of The Times of India

ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ କରିବାର ଚର୍ଚ୍ଚା ମଧ୍ୟରେ ସୌମ୍ୟା ସ୍ବଦେଶ ଫେରିବା ପାଇଁ  ବାପାମାଆଙ୍କ ସହିତ ବିଚାର ପରାମର୍ଶ କରି ବିମାନ ଟିକଟ ବୁକ କରିଥିଲେ। ଆଗର ପରିସ୍ଥିତିକୁ ନଜରରେ ରଖି ଗୋଟିଏ ସପ୍ତାହ ପୂର୍ବରୁ ସେ ଫେବ୍ରୁଆରି ୨୫ ତାରିଖ ଓ ମାର୍ଚ୍ଚ ୬ ତାରିଖର ଟିକଟ ବୁକ୍‌ କରିଥିଲେ। ହେଲେ  ପରିସ୍ଥିତ ସଂପୂର୍ଣ୍ଣରୁପେ ବିଗିଡ଼ିଯିବାରୁ ସେଠାର ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି। ତେଣୁ, ସୌମ୍ୟାଙ୍କ ପାଇଁ  ବର୍ତ୍ତମାନ ସ୍ଥିତିରେ ଭାରତ ଫେରିବା ପାଇଁ ସହଜ ସାଧ୍ୟ ହୋଇପାରିବ ନାହିଁ ବୋଲି ରମେଶ ପାଳ ଆଶଙ୍କାବ୍ୟକ୍ତ କରିଛନ୍ତି। ସୌମ୍ୟା ଲଗାତାର ପରିବାର ସହିତ ଯୋଗାଯୋଗରେ ରହିଛି ,ଭିଡିଓ କଲ୍‌ ଜରିଆରେ ସେଠାର ସ୍ଥିତି ସଂପର୍କରେ ଅବଗତ କରି କିଛି ମାତ୍ରାରେ ଆଶ୍ବସ୍ତି ପ୍ରଦାନ କରୁଛି ବୋଲି ରମେଶ କହିଛନ୍ତି। ଝିଅଙ୍କ ସୁଚନା ଅନୁସାରେ, ସେ ରହୁଥିବା ସ୍ଥାନରୁ ୨୫ କିଲୋମିଟର ଦୂରରୁ ବୋମା ବର୍ଷଣର ଆୱାଜ୍‌ ବିଚଳିତ କରୁଛି ବୋଲି ରମେଶ କହିଛନ୍ତି। ଏହା ସତ୍ତ୍ବେ ସୌମ୍ୟା ତଥା ତା’ର ସହପାଠୀମାନେ ଅନ୍‌ ଲାଇନରେ ସେମାନଙ୍କର ଅଧ୍ୟୟନ ଜାରି ରଖିଛନ୍ତି। ସେ ପୁଣି କହିଛନ୍ତି ବର୍ତ୍ତମାନ ଉପୁଜିଥିବା ପରିସ୍ଥିତି ନିଶ୍ଚିତଭାବେ ଚିନ୍ତାକୁ ଦ୍ବିଗୁଣିତ କରିଛି , ପରିବାର ଲୋକ ଚିନ୍ତାରେ ପଡ଼ିବା ସ୍ବାଭବିକ। ଭାରତ ସରକାରଙ୍କୁ ତୁରନ୍ତ ଫସି ରହିଥିବା ନାଗରିକ ଏବଂ ଛାତ୍ରଛାତୀମାନଙ୍କୁ ନିରାପଦରେ ସ୍ବଦେଶକୁ  ଫେରାଇ ଆଣିବା ପାଇଁ ସେ ନିବେଦନ କରିଛନ୍ତି।

ୟୁକ୍ରେନର ଇଷ୍ଟର୍ଣ୍ଣ ଡୋନବାସ ଅଂଚଳରେ ରୁଷ୍‌ ସ୍ବତନ୍ତ୍ର ମିଲିଟାରି ଅପରେସନ ଆରମ୍ଭ କରିଦେଇଥିବା ତଥା ରୁଷ୍‌ର ସେନା ୟୁକ୍ରେନରେ ପ୍ରବେଶ କରିବାକୁ ନେଇ ସୌମ୍ୟା ସମ୍ବାଦକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଗତକାଲି ପର୍ଯ୍ୟନ୍ତ ସବୁ କିଛି ସ୍ବାଭବିକ ଥିଲା, କିନ୍ତୁ ବତ୍ତର୍ମାନ ଏଠାରେ  ଜରୁରୀକାଳୀନ ପରିସ୍ଥିତି ଭଳି ଜଳ ଜଳ ସବୁକିଛି ଦୃଶ୍ୟମାନ ହେଉଛି। ଭିନିସିଆ ସହରରେ ଚାରିଆଡ଼େ ନିରବତା ଛାଇ ଯାଉଛି। ଆମେ ଆଉ ଏଠାରେ ସୁରକ୍ଷିତ ଅନୁଭବ କରୁନାହୁଁ,  ଆମର ପରିବାର ଓ ସଂପର୍କୀୟମାନଙ୍କର ଚିନ୍ତା ଓ ଆଶଙ୍କା ବଢିବାରେ ଲାଗିଲାଣି। ଲୋକମାନେ ସେମାନଙ୍କର ସାମଗ୍ରୀ ସହିତ ଏଠାରୁ ପଳାୟନ କରୁଛନ୍ତି। ଆମମାନଙ୍କୁ ପର୍ଯ୍ୟାପ୍ତମାତ୍ରାରେ ଖାଦ୍ୟସହ ବଙ୍କର ଭିତରକୁ ଚାଲିଯିବା ପାଇଁ ଏଠାର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପାୱାର୍‌ବ୍ୟାଙ୍କ୍‌ ଓ ଫୋନ୍‌ ରଖିବା ପାଇଁ କୁହାଯାଇଛି। ଆମେ ଆମର ଦୁତାବାସ ପାଖରୁ ସାହାଯ୍ୟ ଅପେକ୍ଷାରେ ଅଛୁ ବୋଲି ସୌମ୍ୟା କହିଥିଲେ। ସେ ପୁଣି କହିଥିଲେ ଏୟାର୍‌ସ୍ପେସ ବନ୍ଦ ହୋଇସାରିଛି ଆମେ କେମିତି ଘରକୁ ଫେରିବୁ। ଅପରପକ୍ଷେ ଫରିଦାବାଦର ସେକ୍ଟର ୨୯ ର ବାସଭବନରେ  ପାଳ ଦମ୍ପତି ଝିଅ ସୌମ୍ୟା କେମିତି ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବା ବାଟକୁ ଚାହିଁ ବସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com