ଓଡ଼ିଶା

ଇକୋ ରିଟ୍ରିଟ୍‌ରେ ‘କର୍ପୋରେଟ୍‌ ଆଇକନ୍‌ ଆୱାର୍ଡ’: ସୋଆକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଆୱାର୍ଡ, ଏକ୍ସପ୍ଲୋର ଓଡ଼ିଶା ପାଇଁ ପ୍ରମେୟ ନ୍ୟୁଜ୍‌-୭ ସମ୍ବର୍ଦ୍ଧିତ

କୋଣାର୍କ() କୋଣାର୍କ ଇକୋ ରିଟ୍ରିଟ୍‌ରେ ଶନିବାର ଓଡ଼ିଶା ପର୍ଯ୍ୟଟନ ବିଭାଗ ପ୍ରୟୋଜିତ “ମାଇଁ ସିଟି ଲିଙ୍କସ୍‌ କର୍ପୋରେଟ୍‌ ଆଇକନ ଆୱାର୍ଡ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟ୍‌ ଏବଂ ଫ୍ୟାସନ୍‌ ଜଗତର ଚିନ୍ତକ ଓ ଉଦ୍ଭାବକମାନଙ୍କ ପ୍ରୟାସକୁ ଉତ୍ସାହିତ କରିବା ପାଇଁ “ମାଇଁ ସିଟି ଲିଙ୍କସ୍‌’ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା । ଏଥିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ରାଜ୍ୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ତଥା ଟେଲିଭିଜନ ଉପସ୍ଥାପକ ମନ୍ଦିରା ବେଦୀଙ୍କଠାରୁ ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରମଙ୍ଗଳ ଡିନ୍‌ ଡ.ଜ୍ୟୋତିରଞ୍ଜନ ଦାସ ପୁରସ୍କାର ଗ୍ରହଣ କରିଥିଲେ । ପର୍ଯ୍ୟଟନକୁ ନେଇ ବିଶେଷ କାର୍ଯ୍ୟକ୍ରମ ‘ଏକ୍ସପ୍ଲୋର ଓଡ଼ିଶା’ ପାଇଁ ପ୍ରମେୟ ନ୍ୟୁଜ-୭କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସତ୍ୟବ୍ରତ ସାନୁ ରଥ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ରାଜ୍ୟର ଶ୍ରେଷ୍ଠ କ୍ୟାନସର୍‌ ସ୍ପେଶାଲିଷ୍ଟ ଭାବେ ସମ୍‌ ଅଲ୍ଟିମେଟ୍‌ର ଡା. ପ୍ରିୟା ପ୍ରିୟଦର୍ଶିନୀ ନାୟକ ପୁରସ୍କୃତ ହୋଇଥିଲେ ।

ଓଡ଼ିଶା ପାଇଁ ଏକ ନୂତନ ପରିଚୟ ଆଣିଥିବା ତଥା କିଛି ନୂଆ ପରିବର୍ତ୍ତନ ଆଣିବାରେ ଯେଉଁମାନେ ପ୍ରୟାସ ଜାରି ରଖିଛନ୍ତି ସେହିଭଳି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଏହି ଆୱାର୍ଡର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶାର ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ଓ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଉତ୍ସବରେ ଯୋଗ ଦେଇଥିଲେ । ଚଳିତ ବର୍ଷ ବିଭିନ୍ନ ବର୍ଗରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି), ପାରାଦୀପ ଫସଫେଟ୍‌ ଲିମିଟେଡ୍‌ (ପିପିଏଲ୍‌), ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ୍‌, ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକଚର୍‌ ଲିମିଟେଡ୍‌, ରଶ୍ମି ସାହୁ, ଆନୀ ବର୍ମନ, ରାଜୀବ ଶେଖର ସାହୁ, ଅୟସକାନ୍ତ ମହାନ୍ତି, ପ୍ରିୟଦର୍ଶୀ ମହାପାତ୍ର, ଦିଲ୍ଲୀପ ରାୟ, ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ, କିରୁଥ୍ୱକା ପ୍ରଭାକରନ୍‌ ଓ ତପନ କୁମାର ଚାନ୍ଦଙ୍କୁ କର୍ପୋରେଟ୍‌ ଆଇକନ୍‌ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସୃଜନଶୀଳ ଉଦ୍ୟମିତା ଓ ଇକୋ ପର୍ଯ୍ୟଟନ ବର୍ତ୍ତମାନ ଏବଂ ଭବିଷ୍ୟତ ଶୀର୍ଷକ ଦୁଇଟି ଅଧିବେଶନର ଆୟୋଜନ ହୋଇଥିଲା । ଶେଷରେ ଖ୍ୟାତି ସମ୍ପନ୍ନ କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com