ଅନ୍ତର୍ଜାତୀୟବାଣିଜ୍ୟ

ଯୁଦ୍ଧ ପାଇଁ ବିଶ୍ୱରେ ବଢ଼ୁଛି ଗହମର ଅଭାବ: ୟୁକ୍ରେନ ଓ ରୁଷିଆ କରିପାରୁ ନାହାନ୍ତି ରପ୍ତାନୀ, ସୁଯୋଗ ହାତଛଡ଼ା କରିବନି ଭାରତ

ନୂଆଦିଲ୍ଲୀ : ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଆଜି ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ନିକଟରେ ସୁନା, ଖାଇବା ତେଲର ଅହେତୁକ ଦର ବୃଦ୍ଧି ଘଟିଥିବା ବେଳେ ଖୁବଶୀଘ୍ର ପଟ୍ରୋଲ, ଡିଜେଲ ସହ ବିଭିନ୍ନ ପ୍ରକାର ସାମଗ୍ରୀର ଦର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେବେ ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଆସିଛି । ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଭାରତୀୟ ଗହମର ଚାହିଦା ବଢ଼ିବାରେ ଲାଗିଛି । ୟୁରୋପର ବିଭିନ୍ନ ଦେଶ ଗହମ ସପ୍ଲାଏ ପାଇଁ ଭାରତ ସହିତ ଯୋଗାଯୋଗ କରିସାରିଛନ୍ତି । ସାଧାରଣତଃ ମାର୍ଚ୍ଚ ମାସରେ ଭାରତରେ ଗହମ ଅମଳ କରାଯାଇଥାଏ । ତେଣୁ ଏଭଳି ସ୍ଥିତିରେ ଭାରତ ନିଶ୍ଚିତ ଭାବେ ପ୍ରଫିଟରେ ରହିବ ବୋଲି ଆକଳନ କରାଯାଉଛି ।
ଜଣାପଡ଼ିଛି ଯେ, ବିଶ୍ୱର ମୋଟ ଗହମ ଚାହିଦାର ୩୦ ପ୍ରତିଶତ ଉଭୟ ୟୁକ୍ରେନ ଓ ରୁଷିଆ ଭରଣା କରିଥାନ୍ତି । ରୁଷ ଦୁନିଆର ପ୍ରଥମ ଗହମ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ୟୁକ୍ରେନ ଚତୁର୍ଥ ସ୍ଥାନରେ ରହିଛି । ମାତ୍ର ଦୁଇଦେଶ ବର୍ତ୍ତମାନ ଯୁଦ୍ଧରେ ବ୍ୟସ୍ତ ରହିଥିବାରୁ ଅନ୍ୟ ଦେଶମାନଙ୍କୁ ଏପରି ସ୍ଥଳେ ଗହମ ରପ୍ତାନୀ କରିବା ସମ୍ଭବ ହେଉନାହିଁ । ଦୁଇଦେଶ ବାଜରା, ଚିନି, ଓଟସ, ରାଇ,ଲୁଣ ଆଦି ବିଭିନ୍ନ ସାମଗ୍ରୀ ବିଦେଶକୁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ଫଳରେ ବିଶ୍ୱର ବିଭିନ୍ନ ଦେଶରେ ଏବେ ଗହମର ଅଭାବ ପରିଲକ୍ଷିତ ହୋଇଛି ।
ସୂଚନା ମୁତାବକ, ଭାରତ ଚଳିତ ବର୍ଷ ୭୦ ଲକ୍ଷ ଟନରୁ ଅଧିକ ଗହମ ବିଦେଶକୁ ରପ୍ତାନୀ କରିବ । ବର୍ତ୍ତମାନ ଗହମ ଅମଳ ସିଜିନ୍ ଚାଲିଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ବଜାରକୁ ନୂଆ ଗହମ ଆସିଯିବ । ତେବେ ଏଭଳି ସ୍ଥଳେ ଭାରତୀୟ ରପ୍ତାନୀକାରୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଖାଦ୍ୟ ସଚିବ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com