Breaking NewsFeaturedରାଜନୀତି

ବସୁନ୍ଧରାଙ୍କୁ ପଟଉଛନ୍ତି ଶାହ

ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ହିନ୍ଦୀ ହାର୍ଟଲାଇନରେ ହେବ ବିଧାନସଭା ନିର୍ବାଚନ । ଏସବୁ ଭିତରେ ସବୁଠୁ ଚର୍ଚ୍ଚାରେ ରହିଛି ରାଜସ୍ଥାନ । ରାଜସ୍ଥାନରେ ବିଭିନ୍ନ କାରଣକୁ ନେଇ ରାଜନୈତିକ ମାହୋଲ ରହୁଛି ବେଶ ସରଗରମ । କଂଗ୍ରେସ ସେଠାରେ ସତାରେ ଥାଇ ମଧ୍ୟ ତାର ଆଭ୍ୟନ୍ତରୀଣ ପରିସ୍ଥିତିକୁ ନେଇ ଛଟପଟ ହେଉଛି । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କୁ ନେଇ ଦ୍ୱନ୍ଦରେ ପଡିଛି । ସେପଟେ ବିଜେପି ମଧ୍ୟ ବସୁନ୍ଧରା ରାଜେ ସିନ୍ଧିଆକୁ ନେଇ ହରଡଘଣାରେ ପଡିଛି ।

ଚର୍ଚ୍ଚା ହେଉଥିଲା କି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ସବୁକିଛି ଠିକ ନଥିଲା । ଯାହାକୁ ନେଇ ବସୁନ୍ଧରା ବିଦ୍ରୋହ କରିବାର ସମ୍ଭାବନା ବି ଦେଖାଦେଇଥିଲା । ଏପରିକି ଅଶୋକ ଗେହଲଟଙ୍କ ସହ ଏକ ଫଟୋ ଭାଇରାଲ ପରେ ବସୁନ୍ଧରା ଅନ୍ୟଆଡକୁ ଢଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ଚିତ୍ର ଅଲଗା ପ୍ରକାର ଆସିଛି । ବସୁନ୍ଧରାଙ୍କୁ ମନାଇବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ରୁଦ୍ଧଦ୍ୱାର ବୈଠକ କରି ପ୍ୟାଚ ପକାଇବାକୁ ସବୁ ପ୍ରକାର ଉଦ୍ୟମ ଚାଲିଛି । ଆଉ ନିର୍ବାଚନ ପୂର୍ବରୁ ବିଜେପିରେ ସବୁକିଛି ଠିକ ଚାଲିଛି ବୋଲି ବାର୍ତା ଦେବାକୁ ଯାଇଛନ୍ତି ବିଜେପି ହାଇକମାଣ୍ଡ । ଗୃହମନ୍ତ୍ରୀ ଅମିତ ଶାହ ବସୁନ୍ଧରାଙ୍କୁ ଭେଟିବା ପରେ ରାଜସ୍ଥାନ ରାଜନୀତିକୁ ନେଇ ଏଭଳି କିଛି ଚର୍ଚ୍ଚା ଚାଲିଥିବା କୁହାଯାଉଛି ।

କାରଣ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା, ଗୃହମନ୍ତ୍ରୀ ଅମିତ ଶାହ, ମହା ସଚିବ ବିଏଲ ସନ୍ତୋଷ ଏବଂ ରାଜ୍ୟ ନେତୃତ୍ୱଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ବ÷ଠକ ପରେ ଯେତେବେଳେ ଫଟୋ ସାମ୍ନାକୁ ଆସିଲା ସେତେବେଳେ ସବୁ ଲୋକଙ୍କ ନଜର ବସୁନ୍ଧାରଙ୍କ ହାବ ଭାବ ଉପରେ ରହିଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ ବସୁନ୍ଧରାଙ୍କ ଗୋଟିଏ ପାଶ୍ୱର୍ରେ ଗଜେନ୍ଦ୍ର ସିଂ ଶେଖାୱତ ଓ ଅନ୍ୟ ପାଖରେ ରାଜବର୍ଦ୍ଧନ ରାଠୋଡ ବସିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ଏହି ଦୁଇ ନେତାଙ୍କ ସହ ବସୁନ୍ଧରାଙ୍କ ସଂପର୍କ ଭଲ ନଥିଲା । ଏପରିକି ଅମିତ ଶାହାଙ୍କ ସହ ବି ବସୁନ୍ଧରାଙ୍କ ଜତିପାତ ଭଲ ନଥିବା କୁହାଯାଉଥିଲା । ହେଲେ ଏବେ ନିର୍ବାଚନ ସମୟ ଆସିଥିବାରୁ ସମସ୍ତେ ଏକଜୁଟ ଥିବା ବାର୍ତା ଦେଉଛନ୍ତି ।

ପାଖାପାଖି ୬ଘଂଟା ଅର୍ଥାତ ସଂନ୍ଧ୍ୟା ସାଢେ ୭ଟାରୁ ରାତି ୨ଟାପର୍ଯ୍ୟନ୍ତ ଚାଲିଥିବା ରୁଦ୍ଦଦ୍ୱାର ବୈଠକରେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି । ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ପ୍ରଚାର ରଣନୀତି ପର୍ଯ୍ୟନ୍ତ ଆଲୋଚନା କରାଯାଇଛି । ଆଉ ସବୁଠୁ ବଡ କଥା ହେଲା ଏହି ମିଟିଂରେ ବସୁନ୍ଧରାଙ୍କୁ ଭରସା ଦିଆଯାଇଛି ଯେ ନିର୍ବାଚନରେ ଦଳ ତାଙ୍କ ସମ୍ମାନର ଯତ୍ନ ନେବ । ତେବେ ରାଜନୀତିରେ ଦବଙ୍ଗ ଲେଡି କୁହାଯାଉଥିବା ବସୁନ୍ଧରା ସହଜରେ ବିଜେପିର କଥାକୁ ମାନି ନେବେ ନା ମୁଖ୍ୟମନ୍ତ୍ରୀ ପଦ ଦାବିରେ ଜିଦ ଧରିବେ ତାକୁ ନେଇ ସୃଷ୍ଟି ଅନେକ ପ୍ରଶ୍ନ । ଆଗକୁ ସମୟ ହି କହିବ କଣ ରହିବ ବସୁନ୍ଧରାଙ୍କ ଆଭିମୁଖ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com