ଓଡ଼ିଶା

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲା: ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୨ ଗିରଫ

ଭଦ୍ରକ : ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ୨ ଜଣ ଗିରଫ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରେ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଥିବା ଜଣାଯାଇଛି। ଏହାଛଡ଼ା ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ବି ଗିରଫ କରିଛି ଚାନ୍ଦବାଲି ପୁଲିସ।
ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୂର୍ବରୁ ତିନିଜଣଙ୍କୁ ଗିରଫ କରାଯାଇଛି। ଆଜି ପୁଣି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି। ଉଭୟ ନିରଞ୍ଜନ ଓ ରଞ୍ଜନ ମାନସ ସ୍ବାଇଁଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଘଟଣା ସହ ଜଡ଼ିତ ଥିଲେ। ଏହାଛଡ଼ା ଉଭୟେ ହତ୍ୟା ଯୋଜନା କରିବାରେ ସାମିଲ ଥିଲେ। ଏନେଇ ଅଧିକ ତଦନ୍ତ ଚାଲିଛି। ଗୋଟିଏ ଚିପକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି।

ଆଗରୁ ତଦନ୍ତ କରୁଥିବା ପୁଲିସ ଟିମକୁ ମୃତ ମାନସ ସ୍ୱାଇଁଙ୍କ ମୋବାଇଲ ଫୋନ ମିଳିଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ମାନସଙ୍କ ମୋବାଇଲ ମିଳିଥିବା ନେଇ ପୁଲିସ ସୂଚନା ଦେଇଥିଲା। ସେପଟେ ସାଇଣ୍ଟିଫିକ ଟିମ ସହ ପୁଲିସ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟାମାମଲା ଏବେ ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗୋଟିଏ ପଟେ ମାନସଙ୍କୁ ଜଣେ ୱେବ ପୋର୍ଟାଲର ମାଲିକାଣୀଙ୍କ ସହଯୋଗରେ ହତ୍ୟା କରାଯାଇଥିବା କଥା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଥିବା ବେଳେ ଅଭିଯୁକ୍ତ ୱେବ ଚ୍ୟାନେଲର ମାଲିକାଣୀ ଏବେ ବି ଫେରାର ଅଛନ୍ତି। ପ୍ରଥମେ ପୁଲିସ ତାଙ୍କ ଫୋନକୁ ଟ୍ରାକିଂ କରି ସେ ଓଡ଼ିଶାରେ ଥିବା କଥା କହୁଥିବା ବେଳେ ଏବେ ଆଉ ଫୋନ ଟ୍ରାକିଂ ହୋଇପାରୁ ନାହିଁ। ଏହାସହ ସେ ମୋବାଇଲ ସୁଇଚ ଅପ୍ କରି ରାଜ୍ୟ ବାହାରକୁ ପଳାଇଯାଇଥିବା କଥା ଅନୁମାନ କରାଯାଉଛି । ଏନେଇ ପୁଲିସ ଟିମ ଓ ସାଇଣ୍ଟିଫିକ ଟିମ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି । ସେପଟେ ମାନସ ସ୍ୱାଇଁଙ୍କୁ ଅପହରଣ କରାଯିବାର ଦୃଶ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ବୟାନ ଦେବା ପରେ ସଂପୃକ୍ତ ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଏହି ହତ୍ୟାକାଣ୍ଡର ମୁଖ୍ୟ ବୋଲି ସ୍ପଷ୍ଟ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com