କ୍ରୀଡ଼ା

ଭାରତୀୟ କ୍ରିକେଟରେ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୭/୧୦/୨୦୨୨-  ଦୀର୍ଘ ଦାବି ପରେ ଉଭୟ ମହିଳା ଏବଂ ପୁରୁଷ କ୍ରିକେଟରଙ୍କ ପାଉଣା ସମାନ କରିବାକୁ ବିସିସିଆଇ ଘୋଷଣା କରିଛି । ବିସିସିଆଇର ସମ୍ପାଦକ ଜୟ ଶାହା ଗୁରୁବାର ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଟୁଇଟ୍ କରି ଏହି ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟ ଇତିହାସରେ ଏହାକୁ ସବୁଠାରୁ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ପୁରୁଷ କ୍ରିକେଟରଙ୍କ ପରି ମହିଳା କ୍ରିକେଟର ମଧ୍ୟ ପାଇବେ ସମାନ ପାଉଣା । ଲିଙ୍ଗ ସମାନତା ନେଇ ବିସିସିଆଇ ଏବଂ କ୍ରିକେଟ ଦୁନିଆଁ ଏକ ନୂଆ ଯୁଗରେ ପ୍ରବେଶ କରିଛି । ଏବେ ଉଭୟ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ ।

ଏବେ ଟେଷ୍ଟ କ୍ରିକେଟରେ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ଗୋଟିଏ ମ୍ୟାଚ ପାଇଁ ୧୫ ଲକ୍ଷ ଓ ଏକଦିବସୀୟ ମ୍ୟାଚରେ ୬ ଲକ୍ଷ ଟଙ୍କା ମିଳିବ । ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ଗୋଟିଏ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହା ସହ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ଜୟ ଶାହା ଓପେକ୍ସ କାଉଁସିଲକୁ ଧନ୍ୟବାଦ ଜଣାଇଛନ୍ତି ।

ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କୁ ସମାନ ମ୍ୟାଚ୍ ଫି ଦେବା ନିଷ୍ପତ୍ତି ଭାରତ ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘୋଷଣା କରିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ନ୍ୟୁଜଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା । ଏଥିଯୋଗୁଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଓ ୬ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା । ବିସିସିଆଇର ଏହି ନିଷ୍ପତ୍ତି ଫଳରେ ଆସନ୍ତା ୫ ବର୍ଷ ପାଇଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟରଙ୍କୁ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ଦରମା ମିଳିବ ବୋଲି ସ୍ଥିର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com