ଓଡ଼ିଶା

ଟୁରିଷ୍ଟଙ୍କ ପାଇଁ ଆକର୍ଷଣୀୟ ସାଜିବ ଗୋପାଳପୁର ଆଡ୍‌ଭେଞ୍ଚର୍ ପାର୍କ

ଗୋପାଳପୁର() ବେଳାଭୂମି ସହର ଗୋପାଳପୁରରେ ସ୍ଥାୟୀ ଇକୋ ରିଟ୍ରିଟ୍‌ ଶିବିର, ବାଲୁକା ଶର୍ଯ୍ୟା ଉପରେ ସୁଦୀର୍ଘ କାଠ ପୋଲ, ମିନି ପାର୍କ, ଫାଉଣ୍ଟେନ୍, ଆଇ ଲଭ୍ ଗୋପାଳପୁର ଭଳି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ଶିଶୁଙ୍କ ପ୍ରମୋଦ ଉଦ୍ୟାନ ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ସେହିଭଳି ବେଳାଭୂମି ଓ ନିକଟସ୍ଥ ଅଞ୍ଚଳରେ ପର୍ଯ୍ୟଟକଙ୍କ ସକାଶେ ଅନେକ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଆଉ ଏବେ ବିଜୁ ଆଡ୍‌ଭେଞ୍ଚର ପାର୍କ ଗୋପାଳପୁର ସହରକୁ ଆସୁଥିବା ପର୍ଯ୍ୟଟକ ଓ ରୋମାଞ୍ଚପ୍ରେମୀଙ୍କ ସକାଶେ ନୂଆ ଉନ୍ମାଦନା ସୃଷ୍ଟି କରିବାକୁ ଯାଉଛି। ଏହାର ଟ୍ରାଏଲ୍‌ ରନ୍ ସମ୍ପନ୍ନ ହୋଇଛି। ଶୀଘ୍ର ସାଧାରଣ ଜନତା ଓ ଟୁରିଷ୍ଟଙ୍କ ସକାଶେ ଏହା ଉନ୍ମୋଚିତ ହେବ ବୋଲି ସୂଚନା ଦେଇଛି ଗଞ୍ଜମ ଜିଲ୍ଲା ପ୍ରଶାସନ। ଏହାଦ୍ଵାରା ଏବେ ଏହି ଜାତୀୟସ୍ତରର ପର୍ଯ୍ୟଟନସ୍ଥଳୀ ପ୍ରତି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକୃଷ୍ଟ ହୋଇ ଆସିବେ ବୋଲି ଆଶା କରାଯାଉଛି।

ବିଜୁ ଆଡ୍‌ଭେଞ୍ଚର ପାର୍କରେ ରହିଛି ଜିପ୍ ଲାଇନ୍, ଜିଆଣ୍ଟ୍ ସ୍ବିଙ୍ଗ୍, ମେକାନିକାଲ୍ ବୁଲ୍, କ୍ରିକେଟ୍ ନେଟ୍‌ସ୍, ଏୟାର୍ ଗନ୍, ବବଲ୍‌ ରାଇଡିଂ, ଡନ୍‌ଲପ୍ ଜମ୍ପିଂ, ରାପ୍ ସ୍ବିମିଂ ସମେତ ଆହୁରି ଅନେକ ଆକର୍ଷଣୀୟ ଓ ରୋମାଞ୍ଚକର ଉପକରଣ। ଗୋପାଳପୁର ଚିଲଡ୍ରେନସ୍ ପାର୍କ ପରିସରରେ ଏସବୁ ସ୍ଥାପିତ କରିଛି ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀ। ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ସହଯୋଗରେ ଏସବୁ ସ୍ଥାପିତ କରି ପର୍ଯ୍ୟଟକଙ୍କୁ ଆମୋଦପ୍ରମୋଦ, ରୋମାଞ୍ଚିତ ମନୋରଞ୍ଜନର ଭରପୁର ସୁଯୋଗ ଦେବାକୁ ଚେଷ୍ଟା କରାଯାଉଛି। ଏ ନେଇ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଇଛି। ପାର୍କ ନିକଟରେ ପ୍ରବାହିତ ନଦୀ ମୁହାଣ ଉପରେ ତିଆରି ହୋଇଛି ଜିପ୍ ଲାଇନ୍। ଏହାଦ୍ୱାରା ପ୍ରାୟ ୨୩୦ ମିଟର ଲମ୍ବ ତାର ମାଧ୍ୟମରେ ଜ୍ୟାକେଟ୍‌ ପିନ୍ଧି ପାଣି ଉପରେ ପର୍ଯ୍ୟଟକମାନେ ରୋମାଞ୍ଚକର ମଜା ନେଇ ପାରିବେ। ସେହିପରି ରାପ୍ ସ୍ବିମିଂ ଜରିଆରେ ପ୍ରାୟ ୪୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଦୋଳିର ମଜା ନେଇହେବ।

ଗୋପାଳପୁର ବେଳାଭୂମିକୁ ବର୍ଷତମାମ ରାଜ୍ୟ ଓ ରାଜ୍ୟ ବାହାରୁ ଏପରିକି ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ପରିଭ୍ରମଣ ନିମନ୍ତେ ଆସିଥାନ୍ତି। ପୂର୍ବରୁ ଏଠାରେ କେବଳ ବେଳାଭୂମି ବ୍ୟତୀତ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ସକାଶେ ଅଧିକ ସୁବିଧା ସୁଯୋଗ ନଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ବିକଶିତ ପର୍ଯ୍ୟଟନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଏହି ବେଳାଭୂମି ସହରର ଲଗାତାର ବିକାଶ କରାଯାଇ ଆସୁଛି। ବିପୁଳ ଅର୍ଥ ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ଗୋପାଳପୁର ବିଚ୍ ଫେଷ୍ଟ ଅନ୍ୟତମ ଆକର୍ଷଣ ଥିଲା। ସେହିପରି ଗୋପାଳପୁରରେ ସ୍ଥାନୀୟ କଳାକାରଙ୍କୁ ପ୍ରୋତ୍ସାହିତ କରି ‘ପାଗୋ’ ଉତ୍ସବ ଆୟୋଜନର ମଧ୍ୟ ଯୋଜନା ଥିଲା। ତେବେ କରୋନା ମହାମାରୀ କାରଣରୁ ଏସବୁ ବନ୍ଦ ରହିଛି। ଅପରପକ୍ଷରେ ସ୍ଥାୟୀ ଭାବେ ବିଭିନ୍ନ ପ୍ରକଳ୍ପ ଜରିଆରେ ସବୁଦିନ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଯାଉଛି। ସେଥି ଅନ୍ତର୍ଗତ ଏହି ଆଡ୍‌ଭେଞ୍ଚର୍ ପାର୍କ ଅନ୍ୟତମ ପଦକ୍ଷେପ ଅଟେ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମକ୍ରମେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ କରାଯାଉଛି। ଶିଶୁ ଉଦ୍ୟାନ ପରିସରରେ କିଛି ଜମିକୁ ମହାରାଷ୍ଟ୍ରର ଉକ୍ତ କମ୍ପାନୀକୁ ଲିଜ୍‌ରେ ଦିଆଯାଇ ଏସବୁ ଉପକରଣ ପ୍ରସ୍ତୁତ କରାଯାଉଛି। ଏହାଦ୍ଵାରା ଆଗାମୀ ଦିନରେ ଗୋପାଳପୁର ସହରକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିବ ତାହା ନିଶ୍ଚିତ।

Related Articles

Back to top button
WP Twitter Auto Publish Powered By : XYZScripts.com