
ଓଡ଼ିଶା ଗସ୍ତର ଦିତ୍ୱୀୟ ଦିନରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ମାତୃଭାଷାରେ ଶିକ୍ଷା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି। ଅନ୍ୟପଟେ ରାଜ୍ୟରେ ଇଂଜିନିୟରିଂ ପାଠପଢ଼ାର ଓଡିଆ ମାଧ୍ୟମକୁ ଏଆଇସିଟିଇ ଓ ସିଏସଟିଟିର ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷଠାରୁ ରାଜ୍ୟରେ ଓଡ଼ିଆରେ ଇଂଜିନିୟରିଂ ପାଠପଢ଼ା ହେବାକୁ ଯାଉଥିବାବେଳେ ଏଆଇସିଟିଇ ଓ ସିଏସଟିଟିର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଥମ ବର୍ଷ ବି-ଟେକ ଓ ଡିପ୍ଲୋମା ଲାଗି ପୁସ୍ତକ ପ୍ରକାଶ କରିଛନ୍ତି। ଏହା ଓଡ଼ିଆ ଶିକ୍ଷା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ-ଏଆଇସିଟିଇର ଓଡ଼ିଆରେ ଇଞ୍ଜିନିୟରିଂ ବହିର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।