ଜାତୀୟ

ଶ୍ରୀମନ୍ଦିରରେ ଗୁଆଟେକା ଓ ଯଜ୍ଞସ୍ଥଳରେ ଅଙ୍କୁରରୋପଣ କଲେ ଗଜପତି

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ସହ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ। ଗୁଆଟେକା ସହ ସମ୍ପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ। ବରଣ ହୋଇଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞସ୍ଥଳ ନିକଟ ସ୍ବତନ୍ତ୍ର କୁଡ଼ିଆରେ ଅଙ୍କୁରରୋପଣ ନୀତି ସମ୍ପନ୍ନ କରିଛନ୍ତି। ଶନିବାର ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି। ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ଗଜପତି ମହାରାଜା ସମନ୍ବୟ ରକ୍ଷା ପୂର୍ବକ ମହାପ୍ରଭୁଙ୍କ ଏହି ପବିତ୍ର ଓ ଭବ୍ୟ ମହୋତ୍ସବକୁ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାରା ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତି ସହ ସନାତନ ସଂସ୍କୃତି ଓ ବୈଦିକ ପରମ୍ପରାର ଅପୂର୍ବ ମିଳନକୁ ଅନୁଭବ କରିବ ବୋଲି ସେ କହିଛନ୍ତି।

ଚୂଡ଼ାନ୍ତ ଶୁଭବେଳା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଶ୍ରୀନଅରରେ ବ୍ରାହ୍ମଣବରଣ ନୀତି ଆରମ୍ଭ ହୋଇଥିଲା। ଶ୍ରୀନଅରରେ ବିଜେ ମା’ କନକଦୁର୍ଗା ଓ ଅନ୍ୟ ଦେବଦେବୀଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ଗଜପତି ମହାରାଜା ଦେବଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ସିଂହାସନରେ ବିଜେ ହୋଇଥିଲେ। ମହାପ୍ରଭୁଙ୍କ ନାକଚଣା ଗଜପତିଙ୍କ ମସ୍ତକ ସ୍ପର୍ଶ କରାଯାଇଥିଲା। ସ୍ବତନ୍ତ୍ର ପୂଜାର୍ଚ୍ଚନା ପୂର୍ବକ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ। ବରଣ ହୋଇଥିବା ବ୍ରାହ୍ମଣମାନଙ୍କୁ ପୂଜା ପାତ୍ର ଓ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଗଜପତି ମହାରାଜାଙ୍କ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ ପ୍ରମୁଖ ଏହି ପୂଜାବିଧି ସମ୍ପନ୍ନ କରିଥିଲେ। ବ୍ରାହ୍ମଣମାନେ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ଦେଇଥିଲେ। ପରେ ବରଣ ହୋଇଥିବା ୬ ଜଣ ବ୍ରାହ୍ମଣ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରରୋପଣ ନୀତି କରିଥିଲେ। ଏହି ଅବସରରେ ଗଜପତି ଶ୍ରୀମନ୍ଦିର ପୁରୋହିତ, ବରଣ ହୋଇଥିବା ବ୍ରାହ୍ମଣ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଗଜପତି ମହାରାଜା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବହୁତ ଭଲ କାମ। ଶ୍ରୀଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ଚତୁଃପାର୍ଶ୍ୱରେ କୋଠାବାଡ଼ି ଥିବାରୁ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ପ୍ରକଳ୍ପ ଏକାନ୍ତ ଜରୁରୀ ଥିଲା। ପୂର୍ବରୁ ମେଘନାଦ ପାଚେରୀ କଡ଼ରେ ଅଳିଆ ପଡୁଥିଲା, ଆଉ ସେଭଳି ଦେଖିବାକୁ ମିଳିବନି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଏହି ଭବ୍ୟ ମହୋତ୍ସବ କିଭଳି ସମନ୍ବୟ ରକ୍ଷା ପୂର୍ବକ ଆଗକୁ ବଢ଼ିବ, ସେ ଦିଗରେ ସମସ୍ତେ ସହଯୋଗ କରନ୍ତୁ। ଏହି ଭବ୍ୟ ଆୟୋଜନରେ ୧୦୮ଜଣ ବ୍ରାହ୍ମଣ ଯୋଗଦେବେ। ୬୦ଜଣ ଚାରିଦ୍ବାରରେ ବେଦପାଠ କରିବେ ଓ ୪୮ଜଣ ମହାଯଜ୍ଞରେ ଯୋଗଦେବେ। ୧୦୮ ଯେହେତୁ ଏକ ପୂର୍ଣ୍ଣାଙ୍ଗ ଅର୍ଥକୁ ବୁଝାଉଛି, ସେ ଦୃଷ୍ଟିରୁ ୧୦୮ ବ୍ରାହ୍ମଣଙ୍କୁ ଏଥିରେ ସାମିଲ୍‌ କରାଯାଇଛି। ଏଥିପାଇଁ ଆଜିଠାରୁ ପୁରୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ବୋଲି ଆଇଜି ଆଶିଷ କୁମାର ସିଂହ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com