ଓଡ଼ିଶା

ମୃତ ନଦୀ ଉପରେ ମାଫିଆଙ୍କ ନଜର, ସନ୍ତରା ନଦୀ କିସମ ବଦଳାଇ ଏକର ଏକର ଜମି ଲୁଟ୍

ଜଗତସିଂହପୁର() ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିଜ ଜିଲ୍ଲା ଜଗତସିଂହପୁରରେ ମୃତ ନଦୀଗୁଡ଼ିକର କିସମ ବଦଳାଇ ଏକର ଏକର ଜମିକୁ ମାଫିଆମାନେ ନିଜ ନାଁରେ କରି ଚାଲିଛନ୍ତି। କୁଜଙ୍ଗ ତହସିଲ୍‌ ଅଧୀନ ମୃତ ପ୍ରାୟ ସନ୍ତରା ନଦୀପଠାକୁ ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ହାତେଇଛନ୍ତି। ଏହି ଜମିର କିସମ ନଦୀ ବୋଲି ପଟ୍ଟାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲେ ମଧ୍ୟ ତହସିଲ୍‌ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି କେଳେଙ୍କାରୀ କରାଯାଇଥିବା ଜଣାପଡ଼ିଛି।

ଏଭଳି ପାଖାପାଖି ୬ ଏକର ଜମି କେଳେଙ୍କାରୀ ହୋଇଥିବାର ପ୍ରମାଣ ମିଳିଥିଲେ ବି ଆହୁରି ଅନେକ ବ୍ୟକ୍ତି ତହସିଲ୍‌ କାର୍ଯ୍ୟାଳୟ କର୍ମଚାରୀଙ୍କୁ ହାତ କରି ଏହି ନଦୀ ପଠାକୁ ନିଜ ନାଁରେ କରିଛନ୍ତି। କୁଜଙ୍ଗ ତହସିଲ୍‌ କାର୍ଯ୍ୟାଳୟରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏମିତି ଜାଲିଆତି କରି ପାରାଦୀପ ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବହୁ ମୂଲ୍ୟବାନ୍‌ ଜମି ନିଜ ନାଁରେ କରାଇ ନେଇଥିବା ଜଣାପଡ଼ିଛି। ଦୁର୍ନୀତିର ଗନ୍ତାଘର ପାଲଟିଥିବା କୁଜଙ୍ଗ ତହସିଲ୍‌ର କିଛି କର୍ମଚାରୀ ନିଜ ମନ ମୁତାବକ ଜମି ହେରଫେର କରିଥିବା ଅଭିଯୋଗ ହୋଇଛି। ଯଦି ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନିଏ ତେବେ ସମ୍ପୂର୍ଣ୍ଣ ନଦୀଟିକୁ ଏହି ମାଫିଆମାନେ ନିଜ ନାଁରେ କରାଇ ନେବେ, ଏଥିରେ ସନ୍ଦେହ ନାହିଁ। ଏଣୁ ନ୍ୟାୟିକ ତଦନ୍ତ କରାଯାଇ ଏହି କେଳେଙ୍କାରୀରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com