ଓଡ଼ିଶା

ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ

ବାଲେଶ୍ବର: ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣାରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦାବି ଜୋର୍‌ ଧରିଛି। ଏନେଇ ଆଜି ନୀଳଗିରି‌େର ଏକ ସର୍ବଦଳୀୟ ବୈଠକ ହୋଇଛି। ଯେଉଁଥିରେ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଦୁଇଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଦାବି ପୂରଣ ନ ହେଲେ ବୁଧବାର ଦିନ ନୀଳଗିରି ବନ୍ଦ କରାଯିବ ବୋଲି ଜଣାପଡ଼ିଛି।
ବାଲେଶ୍ବର ଜିଲ୍ଲା ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଛି। ବିନା‌ ଦୋ‌ଷରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଏବଂ ଗିରଫ କରିଥିଲା। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଲୋକନାଥ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା। ଏବେ ଲୋକନାଥ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣା‌କୁ ନେଇ ରାଜ୍ୟସାରା ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଘଟଣାରେ ଗୁରତ୍ବକୁ ଦେଖି ପୁଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ହାବିଲଦାର ଚିତ୍ତରଂଜନ ସିଂ’ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଥାନାଧିକାରୀ ‌ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି।


ତେବେ ପୁଲିସ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ତେଣୁ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପରେ ଏକ ସର୍ବଦଳୀୟ ବୈଠକ ହୋଇଛି। ବୈଠକରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ବିଭିନ୍ନ ଦଳର ପୂର୍ବତନ ବିଧାୟକ, ଓକିଲ ସଂଘର ସଦସ୍ୟ, ରାଜନୈତିକ ଓ ଅଣରାଜନୈତିକ ଦଳର କାର୍ଯ୍ୟକତା, ସାମାଜିକ ସଂଗଠନ ଓ ବଣିକ ସଂଗଠନର ନେତୃବୃନ୍ଦ ଏବଂ ସାମ୍ୱାଦିକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା ଏବଂ ଲୋକନାଥଙ୍କୁ ନିର୍ଦୋଷରେ ଖଲାସ କରିବା, ତାଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ଏବଂ ବେଡ଼ି ପକାଯିବା ଘଟଣାରେ ଥାନା ଅଧିକାରିଣୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଶାସନକୁ ପ୍ରଦାନ ନେଇ ସ୍ଥିର ହୋଇଥିଲା। ଯଦି ଦୁଇଦିନ ଭିତରେ ଦାବି ପୂରଣ କରା ନ ଯାଏ, ତେବେ ଆସନ୍ତା ବୁଧୁବାର ଦିନ କ୍ରିୟାନୁଷ୍ଠାନ ପକ୍ଷରୁ ନୀଳଗିରି ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com