ନୂଆଦିଲ୍ଲୀ() କୋର୍ଟ, ପ୍ୟାଣ୍ଟ, ଜୋତା ଓ ଟାଇ ପିନ୍ଧି ଠେଲାରେ ଗୁପଚୁପ ବିକୁଥିବା ଜଣେ ଯୁବକଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ଗୁପଚୁପ ବିକ୍ରି କରୁଥିବା ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ୟୁଟ୍ୟୁବର ହେରି ଉପ୍ପଲ ଏହି ଗୁପଚୁପ ବିକ୍ରେତାଙ୍କ ଭିଡିଓ ସେୟାର କରିଛନ୍ତି।
ଯେଉଁଥିରେ ପଞ୍ଜାବର ମୋହାଲିର ଜଣେ ଯୁବକ ଠେଲାରେ ଚାଟ, ଗୁପଚୁପ ଓ ପାମ୍ପଡ଼ଚାଟ ଆଦି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ତେବେ ଉକ୍ତ ଯୁବକଙ୍କ ପୋଷାକ ପରିଧାନ ଚର୍ଚ୍ଚାରେ ରହିଛି। ତାଙ୍କ ପୋଷାକ ପରିଧାନକୁ ଦେଖି ଲାଗୁଛି ଯେମିତି ସେ କୌଣସି କମ୍ପାନିରେ କାର୍ଯ୍ୟରତ ଅଛନ୍ତି। ଧଳାରଙ୍ଗର ସାର୍ଟ ସହିତ କୋର୍ଟ ପ୍ୟାଣ୍ଟ ପିନ୍ଧିଥିବା ବେଳେ ବେକରେ ଏକ ଟାଇ ବି ବାନ୍ଧିଛନ୍ତି ଯୁବକ। ଯୁବକଙ୍କ ଏହି ଠେଲାରେ ଚାରି/ପାଞ୍ଚ ଜଣ ଅନ୍ୟ ଲୋକ ବି କାମ କରୁଛନ୍ତି।
ୟୁଟ୍ୟୁବର ହେରି ଉପ୍ପଲଙ୍କ ସହିତ ଆଲୋଚନା ବେଳେ ଯୁବକ ଜଣକ କହିଥିଲେ କି ସେ ହୋଟେଲ ମ୍ୟାନେଜମେଣ୍ଟ ପାଠପଢ଼ିଛନ୍ତି। ଡେଲିଭରି ବଏ ଭାବେ ବି କାମ କରିଛନ୍ତି। ସଞ୍ଚୟ କରିଥିବା କିଛି ଟଙ୍କା ବ୍ୟୟ କରି ସେ ଏହି ଗୁପଚୁପ ଠେଲା ଆରମ୍ଭ କରିଛନ୍ତି। ଏହି ଠେଲାକୁ ସେମାନେ ଦୁଇଭାଇ ମିଶି ଚଲାଇ ଥାଆନ୍ତି।