ଓଡ଼ିଶା
ନକ୍ସଲଙ୍କ ଗଡ଼ ‘ଯନ୍ତ୍ରୀ’ରେ ବିଏସ୍ଏଫ୍ ପହଞ୍ଚି ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛି: ରାଜବିନ୍ଦର ସିଂ ଭଟ୍ଟି ବିଏସ୍ଏଫ୍ ଏଜିଡିଙ୍କ ସ୍ବାଭିମାନ ଅଂଚଳର ସୀମାନ୍ତ ଯନ୍ତ୍ରୀ କ୍ୟାମ୍ପ ଗସ୍ତ

ମାଲକାନଗିରି/କୋରାପୁଟ() ବିଏସ୍ଏଫ୍ ଏଡିଜି ରାଜବିନ୍ଦର ସିଂ ଭଟ୍ଟି ଆଜି ମାଲକାନଗିରି ଓ କୋରାପୁଟ ଗସ୍ତ କରିଛନ୍ତି। କୋରାପୁଟ ଗସ୍ତ ଶେଷ କରି ମଧ୍ୟାହ୍ନ ପ୍ରାୟ ୧୨ଟାରେ ମାଲକାନଗିରି ଗସ୍ତରେ ପହଞ୍ଚି ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଂଚଳର ଶେଷ ସୀମାରେ ରହିଥିବା ଯନ୍ତ୍ରୀ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ଯବାନଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ଆନ୍ଧ୍ରକୁ ଲାଗି ରହିଥିବା ଏହି ଯନ୍ତ୍ରୀ ଦିନେ ନକ୍ସଲଙ୍କର ଗଡ ଥିଲା। ନକ୍ସଲ ଏଠାରେ ଦିନ ବେଳା ବିଚରଣ କରୁଥିଲେ। ଯନ୍ତ୍ରୀ ନକ୍ସଲଙ୍କର ଏକ ପ୍ରକାର ଅଭେଦ ଦୁର୍ଗ ଥିଲା। କିନ୍ତୁ ଆଜି ବିଏସ୍ଏଫ୍ ଏଠାରେ ପହଞ୍ଚି ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ଏଡିଜି ରାଜଵିନ୍ଦର ଖୁସି ଜାହିର କରିଥିଲେ। ବିଏସ୍ଏଫ୍ ସବୁବେଳେ ସୀମାରେ ରହି ସୁରକ୍ଷା ଦେଇଥାଏ। ଏଥର ମଧ୍ୟ ସୀମାରେ ରହି ନକ୍ସଲଙ୍କୁ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଥିବା ସେ କହିଥିଲେ। ପରେ ପୁଲିସ ଏବଂ ବିଏସ୍ଏଫ୍ର ଅଧିକାରୀମାନଙ୍କ ସହ ସାକ୍ଷାତ କରି ଏକ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ।





