ଅନ୍ତର୍ଜାତୀୟଜାତୀୟ

ରୁଷ-ୟୁକ୍ରେନ ଯୁଦ୍ଧରେ ବରବାଦ ହୋଇପାରେ ବିକାଶଶୀଳ ଦେଶର ଅର୍ଥବ୍ୟବସ୍ଥା- ଚେତାଇଲା ୟୁଏନ

ନ୍ୟୁୟର୍କ() ୟୁକ୍ରେନ-ରୁଷ ଯୁଦ୍ଧରେ ଅନେକ ବିକାଶଶୀଳ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇପାରେ। ଏହି ସବୁ ଦେଶଗୁଡିକର ଅର୍ଥବ୍ୟବସ୍ଥା ବରବାଦ ହୋଇପାରେ। ନିଜର ନୂତନ ରିପୋର୍ଟରେ ଚେତାଇ ଦେଇଛି ମିଳିତ ଜାତିସଂଘ। କାରଣ ବିକାଶଶୀଳ ଦେଶ ସଂପ୍ରତି ଖାଦ୍ୟ ପଦାର୍ଥ ଏବଂ ଇନ୍ଧନର ଆକାଶଛୁଆଁ ଦରର ସାମ୍ନା କରୁଛନ୍ତି। ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଅ ଗୁଟେରସ ବୁଧବାର ଏହି ରିପୋର୍ଟ ଜାରି କରିଛନ୍ତି।

ସେ କହିଛନ୍ତି କୋଭିଡ୍-୧୯ ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ପର‌୍ୟ୍ୟାପ୍ତ ଆର୍ଥିକ ଅଭାବ କାରଣରୁ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଦ୍ୟମ ଚଳାଇଥିବା ଦେଶକୁ ରୁଷ-ୟୁକ୍ରେନ ଯୁଦ୍ଧ ଜୋରଦାର ଝଟକା ଦେଇଛି। ଯୁଦ୍ଧ କାରଣରୁ ଖାଦ୍ୟ, ଉର୍ଜା ଦରବୃଦ୍ଧି ସହ ଆର୍ଥିକ ସଙ୍କଟ ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି। ବାଣିଜ୍ୟ ଏବଂ ବିକାଶକୁ ପ୍ରୋତ୍ସାହନ ଦେଉଥିବା ସମ୍ବନ୍ଧିତ ସଂରା ଏଜେନ୍ସିର ମହାସଚିବ ରେବେକା ଗ୍ରୀନସ୍ନାପ କହିଛନ୍ତି, ୧୦୭ ଦେଶ ଖାଦ୍ୟ, ଉର୍ଜା ଏବଂ ଆର୍ଥିକ ସଙ୍କଟ ମଧ୍ୟରୁ ଗୋଟିଏର ସମ୍ମୁଖୀନ ହେଉଛନ୍ତି। ୬୯ ଦେଶ ତିନି କାରକର ଗମ୍ଭୀର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ରେବେକାଙ୍କ ଅନୁଯାୟୀ, ଏହି ଦେଶଗୁଡିକ ବହୁତ ମୁସ୍କିଲ ଆର୍ଥିକ ସ୍ଥିତିର ସାମ୍ନା କରୁଛନ୍ତି। କାରଣ ଏହି ଦେଶଗୁଡିକୁ ଏଥିରୁ ମୁକୁଳାଇବା ପାଇଁ କୌଣସି ବାହ୍ୟ ଆର୍ଥିକ ସହାୟତା ମିଳୁନାହିଁ।

ରିପୋର୍ଟରେ ଦେଶଗୁଡିକର ଖୋଲା ବଜାର ଜରିଆରେ ଖାଦ୍ୟ ବସ୍ତୁ ଏବଂ ଇନ୍ଧନର ଏକ ସ୍ଥିର ପ୍ରବାହ ସୁନିଶ୍ଚିତ କରାଯିବାକୁ ଅପିଲ୍ କରାଯାଇଛି। ଏଥିରେ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାରୁ ପୁଞ୍ଜି ଅଧିକ ଯୋଗାଡ ସୁନିଶ୍ଚିତ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବାକୁ ଆହ୍ଵାନ କରାଯାଇଛି। ଅନ୍ୟପଟେ ୟୁକ୍ରେନ ଛାଡିଥିବା ଶରଣାର୍ଥୀଙ୍କ ସଂଖ୍ୟା ୨୦ ଲକ୍ଷ ହୋଇଥିବା ମିଳିତ ଜାତିସଂଘ କହିଛି। ଯୁଦ୍ଧ ଆରମ୍ଭ ହେବା ପରଠୁ ବଡ ସଂଖ୍ୟାରେ ଲୋକେ ପଳାୟନ କରିଥିଲେ। ଏହି ସମସ୍ତ ଶରଣାର୍ଥୀ ୟୁକ୍ରେନର ପଡୋଶୀ ଦେଶରେ ଶରଣ ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com