ଜାତୀୟରାଜନୀତି

ଗୋଖାଦ୍ୟ ଦୁର୍ନୀତି : ୧୦ଲକ୍ଷ ଟଙ୍କା ମୁଚାଲିକାରେ ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚୀ() ବିହାରର ବହୁ ଚର୍ଚ୍ଚିତ ଗୋ ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇକୋର୍ଟଙ୍କ ଜଷ୍ଟିସ୍ ଅପରେଶ ସିଂହଙ୍କ ଅଦାଲତ ଜାମିନ ଆବେଦନର ଶୁଣାଣି କରି ୧୦ ଲକ୍ଷ ଟଙ୍କା ମୁଚାଲିକାରେ  ଜାମିନ ମଞ୍ଜୁର କରିଛନ୍ତି। ଗତ ବୁଧବାର ମାମଲାରେ ସିବିଆଇ କୋର୍ଟରେ ତାଙ୍କର ଜବାବ ରଖିଥିଲେ। ଏଥିରେ ଲାଲୁ ଏପର୍ଯ୍ୟନ୍ତ ତାଙ୍କ ଅଧା ଦଣ୍ଡ ବି ଭୋଗ କରିନଥିବା କୁହାଯାଇଥିଲା। ତେବେ ଲାଲୁଙ୍କ ଓକିଲ ସେ ଅଧାରୁ ଅଧିକ ଦଣ୍ଡ ଭୋଗି ସାରିଥିବାର ତର୍କ ରଖିଥିଲେ। କୋର୍ଟ ଲାଲଙ୍କ ଜାମିନ ମଞ୍ଜୁର କରିଥିବରୁ ହୁଏତ ଶୁକ୍ରବାର ଅଥବା ଶନିବାର ସେ ଜେଲରୁ ମୁକୁଳି ପାରନ୍ତି।

ଉଲ୍ଲେଖଯୋଗ୍ୟ ଯେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଫେବୃଆରୀ ୨୧ ତାରିଖ ଦିନ ଡୋରଣ୍ଡା କୋଷାଗାର ମାମଲାର ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲଦଣ୍ଡାଦେଶ କରିଥିଲେ। ଏହି ମାମଲାରେ ତାଙ୍କୁ ୬୦ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ବିରୋଧରେ ଲାଲୁ ହାଇକୋର୍ଟରେ ଜାମିନ ନିବେଦନ କରିଥିଲେ। ଏହା ପୂର୍ବରୁ ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି।

ଗୋଖାଦ୍ୟ ଦୁର୍ନୀତି ଅବିଭାଜ୍ୟ ବିହାରର ୪ ଜିଲ୍ଲାରେ ହୋଇଥିଲା। ଏଥିରୁ ଚାଇଁବସା ଜିଲ୍ଲାରେ ୨ଟି ମାମଲା ଥିବା ବେଳେ ଦୁର୍ନୀତିର ପ୍ରଥମ ଏତଲା ମଧ୍ୟ ଚାଇଁବସାରେ ରୁଜୁ ହୋଇଥିଲା। ଚାଇଁବସା କୋଷାଗାରରୁ ବେଆଇନ ଉପାୟରେ ୩୭.୭ କୋଟି ଟଙ୍କା ଉଠାଣ ମାମଲାରେ କୋର୍ଟ ଲାଲୁଙ୍କୁ ୨୫ଲକ୍ଷ ଟଙ୍କା ଜରିମନା ଓ ୫ ବର୍ଷ ଜେଲଦଣ୍ଡାଦେଶ କରିଥିଲେ। ସେହିପରି ଦେଓଘର କୋଷାଗାରରୁ ୮୯.୫ଲକ୍ଷ ଟଙ୍କା ଉଠାଣ ମାମଲାରେ ଲାଲୁଙ୍କୁ ୫ ଲକ୍ଷ ଟଙ୍କା ଜରିମନା ଓ ସାଢେ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା।

ସେହିପରି ମାମଲାରେ ଚାଇଁବସା କୋଷାଗାରରୁ ୩୦ କୋଟି ଟଙ୍କାର ଅବୈଧ ଉଠାଣ ଲାଗି ୫ବର୍ଷ ଡଜେଲଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡା ଦୁମକା କୋଷାଗାରରୁ ୩.୧୩ କୋଟି ଟଙ୍କାର ବେଆଇନ ଉଠାଣ ମାମଲାରେ ୭ ବର୍ଷ ଜେଲ ଓ ୩୦ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com