ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣିଥରେ ଭାରତରେ ପଢିବା ସମ୍ଭାବନା ଉଜ୍ଜୀବିତ

ନୂଆଦିଲ୍ଲୀ() ଋଷର ଆକ୍ରମଣ ପରେ ୟୁକ୍ରେନରୁ ଭାରତକୁ ଫେରୁଥିବା ପ୍ରାୟ ୧୬ ହଜାର ଭାରତୀୟ ଛାତ୍ରଛାତ୍ରୀ ଭବିଷ୍ୟତର ପାଠପଢା ପାଇଁ ଚିନ୍ତିତ ଅଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର । ସେମାନଙ୍କ ପାଠପଢାରେ ଯେପରି ବ୍ୟାଘାତ ସୃଷ୍ଟି ନହୁଏ ସେଥିପାଇଁ ସେଠାରୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ ପଢିବା ବ୍ୟବସ୍ଥା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ ଲାଇସେନ୍ସିଂ (ଏଫଏମଜିଏଲ୍) ରେଗୁଲେସନ ଧାରାରେ ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି। କେନ୍ଦ୍ରୀୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣର ସୂତ୍ର ଅନୁସାରେ ଶୁକ୍ରବାର ଏ ବିଷୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିପାରେ।
ସ୍ଵାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ନେସନାଲ୍ ମେଡିକାଲ୍ କମିଶନ (ଏନଏମସି)କୁ ଏକ ଚିଠି ଲେଖାଯାଉଛି ଯେଉଁଥିରେ କୁହାଯିବ ଏଫଏମଜିଏଲ୍ ରେଗୁଲେସନ୍ ଆକ୍ଟ – ୨୦୨୧ରେ ପରିବର୍ତ୍ତନ କରାଯାଉ ଯାହାଦ୍ଵାରା ବାହାରୁ ଆସୁଥିବା ଛାତ୍ରଛାତ୍ରୀ ଏଡମିସନ କରିପାରିବେ। ଏବେକାର ନିୟମ ଅନୁଯାୟୀ ବିଦେଶରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ପୂରା କରିବା ସହିତ ଟ୍ରେନିଂ ଓ ଇଣ୍ଟର୍ଣ୍ଣସିପ୍ ମଧ୍ୟ ବିଦେଶରେ ହିଁ କରିବାକୁ ହେଇଥାଏ। ୟୁକ୍ରେନରେ ଏମବିବିଏସ୍ ପାଠ୍ୟକ୍ରମର ଅବଧି ୬ ବର୍ଷ ଓ ଇଣ୍ଟର୍ଣ୍ଣସିପର ଅବଧି ୨ ବର୍ଷ ହୋଇଥାଏ। ଏପରି ସ୍ଥିତିରେ ପଢା ବାଧାପ୍ରାପ୍ତ ହେଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍କଟରେ ପଡିଯିବ।