ଓଡ଼ିଶା

ମଣିଷକୁ ଗାଈ ଇଂଜେକ୍ସନ ଦିଆଯିବା ଘଟଣା: ଥାନାରେ ଦିଆଗଲା ଏତଲା

କରଞ୍ଜିଆ () ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡ଼ିହା ଗାଁର ଶ୍ରୀକାନ୍ତ ମହାନ୍ତଙ୍କୁ ଗାଈ ପାଇଁ ଉଦ୍ଦିଷ୍ଟ ଇଂଜେକ୍ସନ ଦିଆଯିବା ଘଟଣାରେ ଥାନାରେ ଏତଲା ଦିଆଯାଇଛି। ନିଜେ ଶ୍ରୀକାନ୍ତ ମହାନ୍ତ ଥାନାରେ ଏତଲା ଦେଇଛନ୍ତି। ଶ୍ରୀକାନ୍ତଙ୍କ ଅଣ୍ଟା ବ୍ୟଥା ହେଉଥିବା ବେଳେ କ୍ୱାକ୍‌ ବିଶ୍ୱନାଥ ବେହେରା ତାଙ୍କୁ ଗାଈ ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଦେଇଥିଲେ।

ଶ୍ରୀକାନ୍ତ ମହାନ୍ତ ସୁସ୍ଥ ଅଛନ୍ତି। ତେବେ ବେଳେ ବେଳେ ତାଙ୍କ ମୁଣ୍ଡ ବୁଲାଉଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ଏହା ସେହି ଗାଈ ଇଞ୍ଜେକ୍ସନର ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଆଶଙ୍କା କରାଯାଉଛି।

ଶନିବାର ଦିନ କ୍ୱାକ୍‌ ବିଶ୍ୱନାଥ ବେହେରା ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡିହା ଗାଁକୁ ଆସିଥିଲେ। ସେ ନିଜକୁ ଠାକୁରମୁଣ୍ଡା ମେଡିକାଲ୍‌ର ଡାକ୍ତର ବୋଲି ପରିଚୟ ଦେଇଥିଲେ। ସେ ଶ୍ରୀକାନ୍ତ ମହାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍‌ସନ୍‌ ଦେଇଥିଲେ। ତେବେ ଗୋଟେ କି ଦୁଇଟି ନୁହେଁ, ଏକାଥରେ ତିନିଟି ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ ହୋଇଛି।

ଇଞ୍ଜେକସନ୍‌ ଦେବା ପରେ ବିଶ୍ୱନାଥ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ଶ୍ରୀକାନ୍ତ ମହାନ୍ତ ପୁଅ ମନୋଜଙ୍କୁ ଫୋନ୍‌ କରି ଘରୁ ଟଙ୍କା ଆଣିବା ପାଇଁ କହିଥିଲେ। କ୍ୱାକ୍‌ଙ୍କୁ ଟଙ୍କା ଦେଲା ବେଳେ ମନୋଜଙ୍କ ନଜର ଇଞ୍ଜେକ୍‌ସନ୍‌ ଉପରେ ପଡ଼ିଥିଲା। ଇଞ୍ଜେକ୍‌ସନ୍‌ ଖୋଳ ଉପରେ ଲେଖା ହୋଇଥିଲା- କେବଳ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଜାଣିବା ପରେ ସେ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିଲେ। ପରେ ସେମାନେ କ୍ଵାକ ବିଶ୍ୱନାଥ ବେହେରାଙ୍କୁ ଧରି ମହୁଲଡ଼ିହା ଥାନାକୁ ନେଇଥିଲେ। ପଚରାଉଚରା ପରେ ପୁଲିସ୍ ଜାଣିବାକୁ ପାଇଲାଯେ ସେ ଜଣେ କ୍ୱାକ୍‌। ଏହା ପରେ ପୁଲିସ୍‌ ତାଙ୍କ ଠାରୁ ଏକ ଜିମାନବନ୍ଦୀ ଲେଖାଇ ଛାଡ଼ି ଦେଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com