ଅନ୍ତର୍ଜାତୀୟଜାତୀୟ

ପରମାଣୁ ଯୁଦ୍ଧ ପାଇଁ ସଜବାଜ ହେଲେଣି ପୁଟିନ୍ : ୟୁକ୍ରେନ ସୀମାରେ ଉଡିଲା ଟିୟୁ-୧୬୦ ବମ୍ବର୍ସ

କିଏଭ() ପରମାଣୁ ଯୁଦ୍ଧ ପାଇଁ ଆଉ ପାଦେ ଆଗେଇଲା ଋଷ । ରୁଷ-ୟୁକ୍ରେନ ଯୁଦ୍ଧକୁ ୫୫ ଦିନ ବିତି ସାରିଲାଣି । କିନ୍ତୁ ୟୁକ୍ରେନ ସୈନ୍ୟକୁ ପରାସ୍ତ କରିବାରେ ରୁଷ ବିଫଳ ହୋଇଛି । ଏଣୁ ରୁଷ ଆକ୍ରମଣ ଜୋରଦାର କରିଛି । ଯୁଦ୍ଧ ଦିନକୁ ଦିନ ଅଧିକ ବ୍ୟାପକ ହେବାରେ ଲାଗିଛି । ୟୁକ୍ରେନକୁ ହରାଇବା ପାଇଁ ରୁଷ ଯେକୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ୟୁକ୍ରେନ ସୀମା ସଂଲଗ୍ନରେ ରୁଷର ଟିୟୁ-୧୬୦ ବମ୍ବର ଜେଟ୍‌ ଉଡୁଥିବା ଦେଖାଯାଇଛି । ପରମାଣୁ ଅସ୍ତ୍ର ପରିବହନ କରିବା ପାଇଁ ଏହି ଜେଟ୍‌ ବ୍ୟବହାର କରାଯାଇଥାଏ । ଏଣୁ ରୁଷ ଟିୟୁ-୧୬୦ ବମ୍ବର ଜେଟ୍‌ ସାହାଯ୍ୟରେ ବିପୁଳ ମାତ୍ରାରେ ପରମାଣୁ ଅସ୍ତ୍ରଶସ୍ତ୍ର ୟୁକ୍ରେନ ସୀମାରେ ଠୁଳ କରୁଥାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାନୁସାରେ, ସୋମବାର  ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କିଏଭରେ ଏକ ସାମ୍ବାଦିକ ସମ୍ମିଳନୀରେ ରୁଷର ପରମାଣୁ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇଥିଲେ । ରୁଷ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଣୁ ସେ କେତେବେଳେ ପରମାଣୁ ଆକ୍ରମଣ କରିବ ସେ ସମୟର ଅପେକ୍ଷା ନ କରି ତା’ର ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ହେବ ବୋଲି କହିଥିଲେ । ଆଣ୍ଟି ରାଡିଏସନ ମେଡିସିନ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ । ଏୟାର ଷ୍ଟ୍ରାଇକରୁ ସୁରକ୍ଷା ପାଇଁ ଆଶ୍ରୟସ୍ଥଳ ଆବଶ୍ୟକ ପଡ଼ିବ ବୋଲି ଜେଲେନ୍‌ସ୍କି କହିଥିଲେ । ଦେଶରେ ଅଧିକରୁ ଅଧିକ ଆଣ୍ଟି ରାଡିଏସନ୍‌ ବା ବିକିରଣ ନିରୋଧୀ ମେଡିସିନ୍‌ ମହଜୁଦ ରଖିବାକୁ ଜେଲେନ୍‌ସ୍କି ନିର୍ଦ୍ଦେଶ ଦେଇଥିଲେ। ରୁଷ ଖୁବଶୀଘ୍ର ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିପାରେ ଏକଥା ସେ ନିଶ୍ଚିତ ଥିବା ସେ କହିଥିଲେ । ଏବେ ଋଷ ଟିୟୁ-୧୬୦ ବମ୍ବର ଜେଟ୍‌ ଉଡୁଥିବା ଦେଖିବାକୁ ମିଳିଲା ପରେ ପରାମଣୁ ଯୁଦ୍ଧ ଆଶଙ୍କା ବଢିଛି ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ଦିନଠାରୁ ହିଁ ରୁଷର ପରମାଣୁ ବଳକୁ ହାଇ ଆଲର୍ଟରେ ରଖିଛି । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି, ରୁଷ ନିଜ ଅସ୍ତିତ୍ୱର ସୁରକ୍ଷା ପାଇଁ ୟୁକ୍ରେନ ବିରୋଧରେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ । ମୋସ୍କଭା ଯୁଦ୍ଧ ଜାହାଜ ବୁଡ଼ିଯିବା ପରେ ରୁଷ ୟୁକ୍ରେନ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ବିଶେଷଜ୍ଞ ଆକଳନ କରୁଥିବା ବେଳେ ୟୁକ୍ରେନ ସୀମାରେ ରୁଷର ବମ୍ବର ଜେଟ୍‌ ଉଡ଼ିବା ପରମାଣୁ ଯୁଦ୍ଧର ଆଭାସ ଦେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com