ଜାତୀୟରାଜନୀତି

ରାଜସ୍ଥାନ ବିଜେପିକୁ ନଡ୍ଡାଙ୍କ ସନ୍ଦେଶ; କନ୍ଦଳ ଶେଷ କର, ନେତୃତ୍ୱ କଥା ହାଇକମାଣ୍ଡ ସ୍ଥିର କରିବେ

ଜୟପୁର() ଆସନ୍ତା ବର୍ଷ ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏହାରି ଭିତରେ ଦଳରେ ରାଜ୍ୟ ନେତୃତ୍ୱକୁ ନେଇ ଚାଲିଥିବା ଅନ୍ତକନ୍ଦଳ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଦିଲ୍ଲୀ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଏକ ହୋଇ କାମ କରିବା ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବସୁନ୍ଧରା ରାଜେ ଦଳର ରଣନୀତିକୁ ବିଗାଡୁଛନ୍ତି। ବିଜେପି ଶୀର୍ଷ ନେତୃତ୍ୱ ରାଜ୍ୟରେ ୨୦ ବର୍ଷର ରାଜେ ଯୁଗକୁ ଶେଷ କରି ନୂଆ ପୀଢିର ନେତାକୁ ଆଗକୁ ଆଣିବାକୁ ଚାହୁଁଛନ୍ତି, କିନ୍ତୁ ଏହା ଦଳ ପାଇଁ ସହଜ ହେଉ ନାହିଁ।

ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ରାଜ୍ୟର ସମସ୍ତ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାଜ୍ୟ ବିଜେପି ଅଧ୍ୟକ୍ଷ ସତିଶ ପୁନିଆ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ, ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲ ଉପସ୍ଥିତ ରହିଥିଲେ।

ରାଜ୍ୟ ବିଧାନସଭା ନିର୍ବାଚନକୁ ଏକ ବର୍ଷରୁ କମ ସମୟ ଥିବା ବେଳେ ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଯାହା ନିର୍ବାଚନରେ ଦଳ ଉପରେ ପ୍ରଭାବ ପକାଇବ ବୋଲି ଶୀର୍ଷ ନେତୃତ୍ୱଙ୍କ ମନରେ ଆଶଂକା ସୃଷ୍ଟି କରିଛି।

ବିଜେପିର ବରିଷ୍ଠ ନେତା କହିଛନ୍ତି, ବିବାଦ ଶେଷ କରି ସମସ୍ତ ନେତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ଜେପି ନଡ୍ଡାଙ୍କ ଘରେ ଏହି ବୈଠକ ହୋଇଥିଲା । ଏଥିରେ ରାଜ୍ୟ ନେତୃତ୍ୱ ଏବଂ ବରିଷ୍ଠ ନେତାଙ୍କୁ ଏକ ହୋଇ କାମ କରିବାକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ନଡ୍ଡା । ଏହାସହ ମୁଖ୍ୟମନ୍ତ୍ରୀ ନାଁ ଉପରେ ଦଳର ହାଇକମାଣ୍ଡ ବିଚାର କରିବେ ବୋଲି ସ୍ପଷ୍ଟ କରିବା ସହ ବର୍ତ୍ତମାନ ସମୟରେ ବ୍ରାଣ୍ଡ ମୋଦୀ ଉପରେ ଭରଷା ରଖିବାକୁ କୁହାଯାଇଛି।

ସୂତ୍ର ଅନୁସାରେ, ଭିନ୍ନ ଭିନ୍ନ ପ୍ରସଙ୍ଗ ପରିବର୍ତ୍ତେ ସମସ୍ତଙ୍କ ଏକା ପ୍ରସଙ୍ଗ ହେବା ଜରୁରୀ ଏବଂ ଦଳୀୟ କାର୍ଯ୍ୟକ୍ରମ ସବୁ ନେତାଙ୍କ ଯୋଗଦାନ ପାଇଁ ମଧ୍ୟ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପରସ୍ପର ବିରୋଧରେ ବୟାନ ଦେବାଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com