ଓଡ଼ିଶା

୧୪ ବର୍ଷ ପରେ ଦୋଷୀଙ୍କୁ ୧୪ ବର୍ଷ ଜେଲ୍‌, ପ୍ରମୋଦିନୀ ମାମଲାରେ ଆସିଲା ରାୟ

(ଜଗତସିଂହପୁର)  ୧୪ ବର୍ଷ ପରେ ଆସିଲା ରାୟ । ପ୍ରମୋଦିନୀ ରାଉଳ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ । ଏହାସହିତ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୦୯ ଏପ୍ରିଲ ୧୮ ତାରିଖ ଦିନ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା ।

ଖବର ଅନୁଯାୟୀ, ଜଗତସିଂହପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା । ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ଦିନେ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ରମେଶ ଦଳସିଂରାୟ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ତେବେ ଏସିଡ୍‌ ମାଡ଼ ଦ୍ୱାରା ଶରୀରରୁ ୮୦ ପ୍ରତିଶତ ଜଳିଯାଇଥିଲା । ଆଉ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ପରେ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା ପରେ ବି ତାଙ୍କ ପୂର୍ବ ଚେହେରା ଫେରିପାରିନଥିଲା ପ୍ରମୋଦିନୀ । ସେପଟେ ଘଟଣାର ତିନି ବର୍ଷ ପରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ । କିନ୍ତୁ ହାର୍‌ ମାନିନଥିଲେ ପ୍ରମୋଦିନୀ । ଦୋଷୀଙ୍କ ଦଣ୍ଡ ଦେବାକୁ ଲଢିଲେ କେସ୍‌ ।

ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୭ ମସିହାରେ କେସ୍‌ ରିଓପନ୍‌ ହେଲା ଆଉ ଧରାପଡିଲେ ଦୁଇ ଅଭିଯୁକ୍ତ । ଏବେ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ । ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com