ଓଡ଼ିଶା
ଶ୍ରୀନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ। ପବିତ୍ର ଅକ୍ଷୟ ତୃତୀୟା ପରଦିନ ଠାରୁ ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ତିନିରଥର ବିଶ୍ଵକର୍ମା ମହାରଣା। କାରଣ ଆଗକୁ ଭଉଁରୀ ତିଥି ଅବସରରେ ତିନି ରଥ ପାଇଁ ଅଖ ସହ ୬ଟି ଚକ ଡେରା ଯିବାର ବିଧି ରହିଛି। ରଥଖଳାରେ ରଥ ଚକର ବିଭିନ୍ନ ଅଂଶ ତିଆରି ଚାଲିଥିବା ବେଳେ ଗତକାଲି ତୁମ୍ବରେ ସୂତା ବାଡିଆ ପରେ ଆଜି ମୁଖ୍ୟ ବିଶ୍ଵକର୍ମା ମହାରଣାଙ୍କ ଦ୍ବାରା ବିନ୍ଧ ଅନୁକୂଳ କରାଯାଇଛି।

ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ କାର୍ଯ୍ୟ ଚକରୁ ଆରମ୍ଭ କରାଯାଇଥାଏ। ଗତ ଅକ୍ଷୟ ତୃତୀୟା ପରଦିନ ଠାରୁ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଗତକାଲି ତୁମ୍ବ ମାନଙ୍କରେ ସୂତା ବାଡିଆ ଯିବା ପରେ ଘେର କାଟିଥିଲେ କରତିଆ ସେବକମାନେ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ଆଜି ତୁମ୍ବ ଉପରେ ଶ୍ରୀଫଳ, ମାହାର୍ଦ୍ଦ ଥୋଇ ବିନ୍ଧ ଅନୁକୂଳ କରିଛନ୍ତି।





