ଓଡ଼ିଶା

ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର: ଓୟୁଏଟିଆରର ହେବ ନବକଳେବର

ଭୁବନେଶ୍ୱର: ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର ।

ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । IIM, IIT ଓ NIT ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି OUTR ର ବିକାଶ ସଂପର୍କିତ ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ ।

ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ସୂଚନାଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, OUTR (CET) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବିଶ୍ବବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନରେ CET ନାମରେ ପ୍ରତିଷ୍ଠିତ ହୋଇଥିଲା । ୨୦୦୧ ମସିହାରେ ଏହା ଭୁବନେଶ୍ବରର ଘାଟିକିଆ ଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା । ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି NAAC A Grade ମାନ୍ୟତା ହାସଲ କରିପାରିଛି ।

୨୦୨୧ରେ ଏହା ଏକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, OUTRର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com