କ୍ରୀଡ଼ା

ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ, ପ୍ରଥମ ଥର ପାଇଁ ଜିତିଲା ଥୋମାସ କପ

ନୂଆଦିଲ୍ଲୀ: ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସକ ଦିନ। ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ଜିତିବା ସହ ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ। ଟାଇଟଲ ମୁକାବିଲାରେ ଭାରତ ଶକ୍ତିଶାଳୀ ଇଣ୍ଡୋନେସିଆ ଟିମକୁ ୩-୦ରେ ପରାଜିତ କରି ବିଜୟ ମୁକୁଟ ପିନ୍ଧିଛି ।

ଭାରତର ଲକ୍ଷ୍ୟ ସେନ, ସାତ୍ୱିକସାଇରାଜ ରଙ୍କରେଡ୍ଡୀ, ଚିରାଗ ସେଟ୍ଟୀ ଏବଂ କିଦାମ୍ୱୀ ଶ୍ରୀକାନ୍ତ ଦଳକୁ ଚାମ୍ପିୟନ କରାଇଛନ୍ତି। ପ୍ରଥମ ମ୍ୟାଚରେ ପୁରୁଷ ଏକକ ବର୍ଗରେ ବିଶ୍ୱର ୯ ନମ୍ୱର ସଟଲର ଲକ୍ଷ୍ୟ ସେନ ବିଶ୍ୱର ୪ ନମ୍ୱର ଖେଳାଳି ଏନ୍ଥନୀ ସିନିସୁକା ଗିନଟିଙ୍ଗଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ମ୍ୟାଚରେ ପୁରୁଷ ଯୁଗଳ ବର୍ଗରେ ସାତ୍ୱିକସାଇରାଜ ଏବଂ ଚିରାଗଙ୍କ ଯୋଡି ଇଣ୍ଡୋନେସିଆର କେଭିନ ସଞ୍ଜାୟା ଏବଂ ମୋହମ୍ମଦ ଅହସାନଙ୍କ ଯୋଡିକୁ ପରାସ୍ତ କରିଥିଲେ। ସାତ୍ୱିକସାଇରାଜ ଏବଂ ଚିରାଗଙ୍କ ଯୋଡି ୧୮-୨୧, ୨୩-୨୧ ଏବଂ ୨୧-୧୯ରେ ଇଣ୍ଡୋନେସିଆର ଯୋଡିକୁ ହରାଇଥିଲେ। ଏହି ବିଜୟ ସହ ଭାରତ ୨-୦ରେ ଇଣ୍ଡୋନେସିଆକୁ ପଛରେ ପକାଇଥିଲା ।

ଏହାପରେ ଭାରତର ଅନୁଭବୀ ସଟଲର କିଦାମ୍ୱୀ ଶ୍ରୀକାନ୍ତ ବିଶ୍ୱର ୮ ନମ୍ୱର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ସିଧା ଗେମରେ ୨୧-୧୫, ୨୩-୨୧ରେ ହରାଇ ଭାରତକୁ ପ୍ରଥମ ଥର ପାଇଁ ଥୋମାସ କପ ଚାମ୍ପିୟନ କରାଇଥିଲେ।

ସେମିଫାଇନାଲରେ ଡେନମାର୍କକୁ ୩-୨ ହରାଇ ପ୍ରଥମ ଥର ପାଇଁ ଥୋମାସ କପର ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ। ଥୋମାସ କପର ୭୩ ବର୍ଷର ଇତିହାସରେ ଭାରତ କେବେ ବି ଫାଇନାଲରେ ପହଞ୍ଚି ପାରି ନଥିଲା। ଶେଷ ଥର ପାଇଁ ୧୯୭୯ ମସିହାରେ ପ୍ରକାଶ ପାଦୁକୋନ ଏବଂ ସୟଦ ମୋଦୀ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଥିଲେ। ସେମିଫାଇନାଲରେ ଡେନମାର୍କଠାରୁ ଦୁହେଁ ପରାଜିତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com