ଓଡ଼ିଶା

ଐତିହାସିକ ରାୟ ଶୁଣାଇଲେ ଭିଜିଲାନ୍ସ କୋର୍ଟ, ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷ ସଜା

ବାରିପଦା: ୨୦୧୭ ମସିହାର ଏକ ଲାଞ୍ଚ ନେବା ମାମଲାର ବିଚାର କରି ସତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ରାୟ ପ୍ରକାଶ ପାଇଛି। ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷର ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା, ଅନାଦେୟ ଏକ ବର୍ଷର କାରାଦଣ୍ଡର ଆଦେଶ ଦେଇଛନ୍ତି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ୍‌ ଡ. ପ୍ରସନ୍ନ ପଣ୍ଡା।

ସୂଚନା ଅନୁଯାୟୀ, ୨୦୧୭ ମସିହାରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ବିଦ୍ୟୁତ ବିଭାଗର ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଅଭିଯୋଗକାରୀ କାର୍ତ୍ତିକେଶ୍ବର ଦତ୍ତଙ୍କ ଏକ ଚାରି ଚକିଆ ଗାଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଭଡା ସୂତ୍ରରେ ଲାଗିଥିଲା। ତାଙ୍କର ଦୁଇ ମାସର ଭଡା ଅର୍ଥ ରାଶି ପ୍ରାୟ ୪୫ହଜାର ଟଙ୍କାର ବିଲ ଦେବା ପାଇଁ ଯଶୋବନ୍ତ ଚୌଧୁରୀ ୫ହଜାର ଟଙ୍କାର ଲାଞ୍ଚ କାର୍ତ୍ତିକେଶ୍ବର ଦତ୍ତଙ୍କୁ ମାଗିଥିଲେ। ତେବେ ଶେଷରେ ୫ହଜାର ନୁହେଁ ୩ହଜାର ଟଙ୍କାର ଲାଞ୍ଚ ଅର୍ଥ ନେବେ ବୋଲି ଯଶୋବନ୍ତ ଚୌଧୁରୀ ରାଜି ହୋଇଥିଲେ।

ପୂର୍ବରୁ ମଧ୍ୟ ଯଶୋବନ୍ତ ଚୌଧୁରୀ ଏହିପରି ହଇରାଣ ହରକତ କରି ବିଲ ପାସ ପାଇଁ ଲାଞ୍ଚ ଅର୍ଥ ନେଉଥିବା ବେଳେ ବିନା ଲାଞ୍ଚରେ କୋଣସି କାର୍ଯ୍ୟ କରୁନଥିଲେ। ତେଣୁକରି ଏ ବାବଦରେ କାର୍ତ୍ତିକେଶ୍ବର ଦତ୍ତ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ୨୫ ଅକ୍ଟୋବର ୨୦୧୭ରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଛାରେ ଯଶୋବନ୍ତ ଚୌଧୁରୀ ପଡିଥିଲେ।

ତେବେ ଏହାକୁ ନେଇ ଭିଜିଲାନ୍ସ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ବରରେ ସେକ୍ସନ ୧ ଓପିଟିସିଏଲ ଡିଜିଏମ ଦାୟିତ୍ୱରେ କାର୍ଯ୍ୟରତ ଅଛନ୍ତି। ଆଜି ଉକ୍ତ ଘଟଣାକୁ ନେଇ ରାୟ ପ୍ରକାଶ ପାଇଛି। ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୭ ଦଫାରେ ୩ ବର୍ଷ କାରାଦଣ୍ଡ ସହ ୧୫ ହଜାର ଜୋରିମାନା ଅନାଦେୟ ୮ ମାସର ଅଧିକ କାରାଦଣ୍ଡ ଏବଂ ୧୩/୨ ଦଫାରେ ୫ ବର୍ଷ ସହ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି। ତେବେ ଏହା ଭିଜିଲାନ୍ସ କୋର୍ଟ ଦ୍ଵାରା ଏକ ଐତିହାସିକ ରାୟ ବୋଲି କହିଛନ୍ତି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ।

Related Articles

Back to top button
WP Twitter Auto Publish Powered By : XYZScripts.com