ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଦେଶର ଜନତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ସରକାର ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୮ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ପ୍ରତି ଲିଟର ୬ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଅନ୍ୟପଟେ କିନ୍ତୁ କେନ୍ଦ୍ର ସରକାରଙ୍କ ଉପରେ ଅତିରିକ୍ତ ବୋଝ ବଢିଛି।
୧ ଏକ୍ସାଇଜ ଡ୍ୟୁଟିରେ ହ୍ରାସ ପରେ କେତେ ବଢିବ ବୋଝ ?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏକ୍ସାଇଜ ଡ୍ୟୁଟିରେ ଏହି ହ୍ରାସ ଯୋଗୁଁ ସରକାରଙ୍କ ଉପରେ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ବୋଝ ପଡିବ। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ନଭେମ୍ୱର କେନ୍ଦ୍ର ସରକାର ୫ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ। ସେହି ସମୟରେ ସରକାରୀ ରାଜକୋଷ ଉପରେ ଅତିରିକ୍ତ ୧,୨୦,୦୦୦ କୋଟି ଟଙ୍କା ବୋଝ ପଡିଥିଲା। ଦୁଇ ଥରର ଶୁଳ୍କ ହ୍ରାସକୁ ମିଶାଇ କହିଲେ ସରକାରଙ୍କ ରାଜକୋଷ ଉପରେ ୨,୨୦,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।
୨. ପୁଞ୍ଜି ବିନିବେଶ ଲକ୍ଷ୍ୟ ହାସଲ ବଡ଼ ଆହ୍ୱାନ
ଏଲଆଇସିରେ ନିଜର ଅଂଶଧନ ବିକ୍ରି କରିବାରେ ସରକାର ସଫଳ ହୋଇଛନ୍ତି। କିନ୍ତୁ ପୁଞ୍ଜି ବଜାରର ବର୍ତ୍ତମାନର ସ୍ଥିତି ଏଲଆଇସିର ପ୍ରଦର୍ଶନ ଅନ୍ୟ ପୁଞ୍ଜି ପ୍ରତ୍ୟାହାର ଯୋଜନା ଉପରେ କିଛି ମାସ ଯାଏଁ ଗ୍ରହଣ ଲଗାଇଛି ।
ଗତ ତିନି ବର୍ଷର ଧାରା ଉପରେ ଯଦି ନଜର ପକାଇବା ତେବେ ସରକାରୀ କମ୍ପାନୀ ଗୁଡିକରୁ ପୁଞ୍ଜି ଏକାଠି କରିବାରେ ସରକାରଙ୍କୁ ବହୁ ସଫଳତା ମିଳିପାରି ନାହିଁ। ଗତ ଆର୍ଥିତ ବର୍ଷରେ ସରକାର ବିନିବେଶ ଜରିଆରେ ୧.୭୫ ଲକ୍ଷ କୋଟି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ପରେ ଏହାକୁ ହ୍ରାସ କରି ୭୮,୦୦୦ କୋଟି ଟଙ୍କା କରାଯାଇଥିଲା। ଅର୍ଥାତ ସରକାରଙ୍କ ପ୍ରସାୟ ସତ୍ତ୍ୱେ ସରକାରୀ କମ୍ପାନୀକୁ କିଣିବା ପାଇଁ ନିବେଶକ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଅନ୍ୟପଟେ ଚଳିତ ବର୍ଷ ବିନିବେଶ ଲକ୍ଷ୍ୟ ୬୫,୦୦୦ କୋଟି ରହିଛି, ଯାହାର ଏକ ତୃତୀୟାଂଶ ହାସଲ ହୋଇସାରିଛି। ଅନ୍ୟପଟେ ବଳକା ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାର ପବନ ହଂସ, ବିପିସିଏଲ, ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ, ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ୍ ଏବଂ ଆଇଟିସି ପରି କମ୍ପାନୀରୁ ନିଜ ଅଶଂଧନ ବିକ୍ରି କରିବାକୁ ପ୍ରସାୟ କରିବେ।
୩ ସବସିଡିର ଭାର ?
ସରକାର ଏପରି ଏକ ସମୟରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେତେବେଳେ ବିନିବେଶ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ଅସୁବିଧାର ସାମନା କରୁଛି। ଏପରି ସ୍ଥଳରେ ପ୍ରଶ୍ନ ଉଠୁଛି ଯେ, ସରକାର ଏହି ସବସିଡି ବୋଝ ସମ୍ଭାଳି ପାରିବେ ତ ? ସରକାରଙ୍କ ବଜେଟର ଏକ ବଡ଼ ଅଂଶ ସବସିଡିରେ ଯାଇଥାଏ। ଶନିବାର ସରକାର ୯ କୋଟି ଉଜ୍ଜ୍ୱଳା ଗ୍ୟାସ ଲାଭାର୍ଥୀଙ୍କୁ ୧୨ଟି ସିଲିଣ୍ଡର ଯାଏ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଥିଲେ। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ନୂଆ ଏବଂ ପୁରୁଣା ସବସିଡିର ବୋଝ ତଳେ ବିକାଶର ଯୋଜନା ଗୁଡିକୁ ବଳି ଦିଆଯିବନି ତ ?
କେନ୍ଦ୍ର ସରକାର ଆର୍ଥିତ ବର୍ଷ ୨୦୨୧-୨୨ରେ ଖାଦ୍ୟ ସବସିଡି ବାବଦରେ ୨,୮୬,୪୬୯.୧୧(ରିଭାଇଜ୍) କୋଟି ଏବଂ ୨୦୨୨-୨୩ରେ ୨,୦୬,୮୩୧.୦୯ କୋଟି ଖର୍ଚ୍ଚ କରିବେ । ସାର ଉପରେ ଆର୍ଥିକ ବର୍ଷ ୨୦୨୧-୨୨ରେ ୧,୪୦,୧୨୨.୩୨ କୋଟି ଟଙ୍କା ସରକାର ଖର୍ଚ୍ଚ କରିଥିଲେ । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧,୦୫,୨୨୨.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ପେଟ୍ରୋଲିୟମ ଉପରେ ଆର୍ଥିକ ବର୍ଷ ୨୦୨୧-୨୨ରେ ୬୫୧୬.୯୨ ଲକ୍ଷ କୋଟି ଏବଂ ୨୦୨୨-୨୩ରେ ୫୮୧୨.୫୦ ଲକ୍ଷ କୋଟି ଟଙ୍କ ଖର୍ଚ୍ଚ କରିବେ।
୪. ବୈଶ୍ୱିକ ସଂକ ମଧ୍ୟରେ ଏହି ନିଷ୍ପତ୍ତି କେତେ ଠିକ୍ ?
ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ସାରା ଦୁନିଆର ବଜାରରେ ଆଶଂକାର କଳା ବାଦଲ ଦେଖା ଦେଇଛି। ଗୋଟିଏ ପଟେ ସାରା ଦୁନିଆରେ ଦରବୃଦ୍ଧି ଆକାଶଛୁଆଁ ହୋଇଛି। ଅନ୍ୟପଟେ ଜରୁରୀ ସାମଗ୍ରୀର ଆମଦାନୀ ହୋଇପାରୁ ନାହିଁ । ଯେଉଁଥି ପାଇଁ ବହୁ ଦେଶ ଆଗରେ ଆର୍ଥିକ ସଂକଟର ବିପଦ ଦେଖାଦେଲାନି। ଏପରି ସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି କେତେ ଠିକ୍ ତାକୁ ମଧ୍ୟ ଏକ ବଡ଼ ପ୍ରଶ୍ନ ।
୫.ଜିଏସଟି ସଂଗ୍ରହରୁ ମିଳିଛି ସାହସ?
ଏହି ବିପରୀତ ସମୟରେ ଏହିପରି ଏକ ଦୃଢ ନିଷ୍ପତ୍ତି ନେବାର ସାହସ ସରକାର କେଉଁଠି ପାଇଲେ ? ଏହାର ଉତ୍ତର ହୁଏତ ଜିଏସଟି ସଂଗ୍ରହ ହୋଇପାରେ। ଜିଏସଟି ସଂଗ୍ରହ ମାମଲାରେ ଏପ୍ରିଲ ମାସ ସରକାରଙ୍କ ସବୁଠୁ ଭଲ ବିତିଛି। ସରକାର ସବୁ ପୁରୁଣା ରେକର୍ଡ ଭାଙ୍ଗି ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରିଛନ୍ତି। ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଜିଏସଟି ସଂଗ୍ରହ ୨୬ ଲକ୍ଷ କୋଟିରୁ ଅଧିକ ଥିଲା।