ଜାତୀୟ

ସୁପ୍ରିମକୋର୍ଟଙ୍କ ରାୟ: ବେଶ୍ୟାବୃତ୍ତି ଏକ ଆଇନସମ୍ମତ ପେଷା, ଯୌନକର୍ମୀଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି

ନୂଆଦିଲ୍ଲୀ: ଯୌନକର୍ମୀଙ୍କ ଜୀବନଧାରଣ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସମ୍ବିଧାନ ଅନୁସାରେ ସେମାନଙ୍କର ବି ହକ୍‌ର ସହ ବଞ୍ଚିବାର ଅଧିକାରୀ ରହିଛି। ବିନା ଅନୁମତିରେ ବେଆଇନ ଭାବେ ପୁଲିସ ସେମାନଙ୍କ ବିଷୟରେ ହସ୍ତକ୍ଷେପ କରିପାରିବ ନାହିଁ କି ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଦେହବେପାର ଏକ ପେଷା। ଆଇନ ଅନୁସାରେ ଯୌନକର୍ମୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଏଲ୍‌ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଯୌନକର୍ମୀଙ୍କ ସୁରକ୍ଷା ଅଧିକାରକୁ ନେଇ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଖଣ୍ଡପୀଠ କହିଛନ୍ତି ଯେ ଯୌନକର୍ମୀମାନଙ୍କର ଆଇନ ଅନୁସାରେ ବଞ୍ଚିବାର ଅଧିକାର ରହିଛି।

ସମ୍ବିଧାନର ଧାରା ୨୧ ଅନୁସାରେ ସମସ୍ତଙ୍କ ସମ୍ମାନ ସହ ବଞ୍ଚିବାର ଅଧିକାରା ରହିଛି। ତେଣୁ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ଯୌନକର୍ମୀଙ୍କୁ ପୁଲିସ ଅଚାନକ ଚଢ଼ଉ କରିପାରିବ ନାହିଁ କି ସେମାନଙ୍କୁ ଗିରଫ କରିପାରିବ ନାହିଁ। ଚଢ଼ଉ ବେଳେ ଯେମିତି ସେମାନଙ୍କ ଫଟୋ ଉ ଭିଡିଓ ଗଣମାଧ୍ୟମରେ ସ୍ଥାନ ନପାଏ ସେ ନେଇ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ କଟକଣା ଲଗାଇବ ବୋଲି କୋର୍ଟ କହିଛନ୍ତି।

କେବଳ ଏତିକି ନୁହେଁ, ସ୍ଥାୟୀ ଠିକଣା ପାଇଁ ଆଧାରକାର୍ଡରୁ ବଞ୍ଚିତ ହେଉଥିବା ଯୌନକର୍ମୀଙ୍କୁ ତୁରନ୍ତ ଆଧାରକାର୍ଡ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସୂଚନା ଥାଉକି ଯୌନକର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ୨୦୧୧ ମସିହାରେ ସୁପ୍ରିମକୋର୍ଟ ଏକ ପ୍ୟାନେଲ ଗଠନ କରିଥିଲେ। ଏଥିପାଇଁ ସର୍ବୋଚ୍ଚ ଅଦାଲତ ଟର୍ମ ଅଫ୍ ରେଫେରନ୍ସ ଧାର୍ଯ୍ୟ କରିଥିଲେ। ୨୦୧୬ ମସିହାରେ ପ୍ୟାନେଲ ପକ୍ଷରୁ ଏକ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା। ପ୍ୟାନେଲ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ।

ହେଲେ ପ୍ରସ୍ତାବ ନେଇ ବିଲ୍ ତିଆରି ଚାଲିଛି ବୋଲି କହି କେନ୍ଦ୍ର ସରକାର ଏଥିରେ ବିଳମ୍ବ କରୁଛନ୍ତି। ଫଳରେ ସୁପ୍ରିମକୋର୍ଟ ତାଙ୍କ ଅଧିକାର ବ୍ୟବହାର କରି ବିଧେୟକ ଆସିବା ପର୍ଯ୍ୟନ୍ତ ପ୍ୟାନେଲ୍‌ ପ୍ରସ୍ତାବ ଅନୁସାରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ଜଷ୍ଟିସ୍ ବି.ଆର ଗଭାଇ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ଏକ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ପ୍ରାପ୍ତ ବୟସ୍କା ନିଜ ଇଚ୍ଛାରେ ଯୌନକର୍ମ କରୁଛନ୍ତି ତେବେ ପୁଲିସ ତାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିପାରିବ ନାହିଁ। ତେବେ ଯୌନକର୍ମୀ କୌଣସି ଅଭିଯୋଗ ନେଇ ଆସିଲେ ପୁଲିସ ତାହାକୁ ଗୁରୁତର ସହ ନେବେ ବୋଲି କୋର୍ଟ କହିଛନ୍ତି। ସେହିପରି କୌଣସି ସ୍ଥାନରେ ଯୌନ କାରବାର ନେଇ ଚଢ଼ାଉ କରାଯିବ ସେତେବେଳେ ଯୌନ କର୍ମୀଙ୍କୁ ଗିରଫ କିମ୍ବା ନିର୍ଯାତନା ଦିଆଯାଇପାରିବ ନାହିଁ।

ତେବେ ITAPA(ଇମୋରାଲ ଟ୍ରାଫିକ୍ ପ୍ରିଭେନସନ୍ ଆକ୍ଟ)ରେ ଗୃହକୁ ସର୍ଭେ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ। ଫଳରେ ସେହି ଗୃହରେ ଇଚ୍ଛା ବିରୋଧରେ ରହୁଥିବା ମହିଳାଙ୍କୁ ବାହାର କରାଯାଇପାରିବ। ଯୌନ କର୍ମୀଙ୍କୁ ସଚେତନ କରିବା ପାଇଁ ଜାତୀୟ, ରାଜ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକର ପଦକ୍ଷେପ ନେବେ। ଜଣେ ଯୌନ କର୍ମୀଙ୍କ ପିଲାଙ୍କୁ କୌଣସି ପରିସ୍ଥିତିରେ ତାଙ୍କ ଠାରୁ ଅଲଗା ହେବାକୁ ଦିଆଯିବ ନାହିଁ।

ଯଦି ଜଣେ ଯୌନକର୍ମୀ ଶିଶୁଙ୍କୁ ନିଜର ପିଲା ବୋଲି ଦାବି କରୁଛନ୍ତି ତେବେ ଏ କ୍ଷେତ୍ରରେ ପରୀକ୍ଷା କରାଯାଇପାରିବ କିନ୍ତୁ ବାଧ୍ୟତାମୁଳକ ଭାବେ ପିଲାଙ୍କୁ ଅଲଗା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ଗ୍ରୀଷ୍ମ ଛୁଟି ପରେ ଜୁଲାଇ ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ

Related Articles

Back to top button
WP Twitter Auto Publish Powered By : XYZScripts.com